ନୂଆଦିଲ୍ଲୀ,୨୩ା୯: ଚାକିରି ବଦଳାଇବା ଏବେ ସାଧାରଣ କଥା। କିନ୍ତୁ କୌଣସି ଜାତୀୟ କ୍ରିକେଟ୍ ଦଳର କୋଚ୍ ଅନ୍ୟ ଏକ ଟିମ୍ରେ ଚାକିରି ପାଇଁ ଇସ୍ତଫା ଦେବା ନିଶ୍ଚିତ ଭାବେ ଚର୍ଚ୍ଚାର ବିଷୟ। ପାକିସ୍ତାନ କ୍ରିକେଟ୍ ଟିମ୍ର ବୋଲିଂ କୋଚ୍ ଏସଲି ନୋଫକେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନ କ୍ରିକେଟ୍ରୁ ଅଲଗା ହେବା ପରେ ସେ ନେଦରଲାଣ୍ଡ୍ସ କ୍ରିକେଟ୍ ଟିମ୍ର ହେଡ୍ କୋଚ୍ ଭାବେ ଦାୟିତ୍ୱ ନେବେ।
୨୦୨୬ ଏସିଆନ୍ ଗେମ୍ସ ପରେ ନୋଫକେ ପାକିସ୍ତାନ ଟିମ୍ର ଦାୟିତ୍ୱ ଛାଡ଼ିବେ। ତାଙ୍କ କଣ୍ଟ୍ରୋକ୍ଟ ଜୁନ୍ ୨୦୨୭ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏହା ପୂର୍ବରୁ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନୋଫକେ ମେ’ ୨୦୨୫ରେ PCB ସହ ଯୋଡ଼ି ହୋଇଥିଲେ । ଏସଲି ନୋଫକେ ଆଗାମୀ ଦୁଇ ବର୍ଷ ପାଇଁ ନେଦରଲାଣ୍ଡ୍ସ ପୁରୁଷ କ୍ରିକେଟ୍ ଟିମ୍ର ହେଡ୍ କୋଚ୍ ଦାୟିତ୍ୱ ସମ୍ଭାଳିବେ। ନେଦରଲାଣ୍ଡ୍ସ ବୋର୍ଡର ରିଲିଜ୍ ଅନୁସାରେ, ନୋଫକେ କହିଛନ୍ତି ଯେ ଡଚ୍ ପୁରୁଷ ଟିମ୍ ସହ କାମ କରିବାକୁ ସେ ଉତ୍ସାହିତ। ଦଳରେ ପ୍ରତିଭାବାନ ଓ ପ୍ରେରଣାଦାୟୀ ଖେଳାଳି ଅଛନ୍ତି ଏବଂ ଟିମ୍ର ବିକାଶକୁ ଆଗକୁ ନେବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ଏସଲି ନୋଫକେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ଗୋଟିଏ ଦିନିକିଆ ଏବଂ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଗୋଟିଏ ଦିନିକିଆରେ ସେ ଗୋଟିଏ ୱିକେଟ୍ ନେଇଥିବା ବେଳେ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ମୋଟ ୪ଟି ୱିକେଟ୍ ହାସଲ କରିଥିଲେ। ୨୦୦୭ ଡିସେମ୍ବରରେ ସେ ଅନ୍ତର୍ଜାତୀୟ କ୍ରିକେଟ୍ରେ ଡେବ୍ୟୁ କରିଥିଲେ। ଏହାପରେ ୨୦୦୮ ଫେବ୍ରୁଆରୀରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।