Categories: ଜାତୀୟ

ଆଶିଷଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ…

ଲକ୍ଷ୍ନୌ,୯।୧୧: ଅକ୍ଟୋବର ୩ରେ, ଲଖିମପୁର ଖେରିରେ କୃଷକମାନେ ଏକ କାର୍‌ ଦ୍ୱାରା ଚାପି ହୋଇଯିବା ଘଟଣାରେ ଏକ ନୂଆ ପର୍ଦ୍ଦାଫାଶ୍‌ ହୋଇଛି। ଏହି ମାମଲାରେ ଫୋରେନ୍ସିକ ଲ୍ୟାବ୍‌ର ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦଙ୍ଗା ସମୟରେ ଘଟିଥିବା ଗୁଳି ବିନିମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବନ୍ଧୁକ ବ୍ୟବହୃତ ହୋଇଥିଲା। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅନୁସନ୍ଧାନକାରୀ ଦଳ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ଅନୁଚିତ। ଏହି ହିଂସାରେ ୪ ଜଣ କୃଷକଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ଘଟିଛି।

ରିପୋର୍ଟରେ ଏହା ନିଶ୍ଚିତ ହୋଇଛି ଯେ ବିଶୃଙ୍ଖଳା ସମୟରେ ଆଶିଷ ମିଶ୍ରଙ୍କ ରିଭଲଭର ଏବଂ ତାଙ୍କ ବନ୍ଧୁ ଅଙ୍କିତ ଦାସଙ୍କ ରିପିଟର୍‌ ବନ୍ଧୁକ ଏବଂ ପିସ୍ତଲ ଦ୍ୱାରା ଫାୟାରିଂ କରାଯାଇଥିଲା। ବର୍ତ୍ତମାନ ଉଭୟ ଅଭିଯୁକ୍ତ ଲଖିମପୁର ଖେରି ଜିଲା ଜେଲରେ ଅଛନ୍ତି।

ଏଏସପି ଅରୁଣ କୁମାର ସିଂ କହିଛନ୍ତି ଯେ ତଦନ୍ତ ପାଇଁ ପଠାଯାଇଥିବା ମାମଲା ସହ ଜଡିତ ପ୍ରମାଣର ରିପୋର୍ଟ ଆସିବା ଆରମ୍ଭ ହୋଇଛି। ଯାହା ଉପରେ ଆଧାର କରି ଅଧିକ ଅନୁସନ୍ଧାନ କରାଯିବ।

ସୋମବାର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବେଳେ କହିଥିଲେ ଯେ ଏହି ହିଂସା ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ତଦାରଖ ପାଇଁ ୟୁପି ସରକାର ଗଠନ କରିଥିବା ନ୍ୟାୟିକ କମିଶନଙ୍କ ଉପରେ ବିଶ୍ୱାସ ନାହିଁ। ଏସଆଇଟି ଅନୁସନ୍ଧାନର ସ୍ଥିତି ରିପୋର୍ଟକୁ ନେଇ କୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରଥିଲେ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଅନୁସନ୍ଧାନରେ ସ୍ବତନ୍ତ୍ରତା ଏବଂ ନିରପେକ୍ଷତା ପାଇଁ ଅନ୍ୟ ରାଜ୍ୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ମନିଟରିଂ କରାଯିବା ଉଚିତ। ନଭେମ୍ବର ୧୨ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସ୍ଥିର ହୋଇଛି।

ପ୍ରଧାନ ବିଚାରପତି ଏନ.ଭି. ରମନା, ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସର୍ବୋଚ୍ଚ ଅଦାଲତର ଖଣ୍ଡପୀଠ ମଧ୍ୟ ସ୍ଥିତି ରିପୋର୍ଟ ସହିତ ତଦନ୍ତର ମନ୍ଥର ଗତି ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ, ଜଣେ ନିର୍ଦ୍ଦିଷ୍ଟ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ପ୍ରମାଣ ସଂଗ୍ରହ କରାଯାଉଥିବା ଜଣାପଡିଛି।

Share