ଅଶ୍ବିନଙ୍କ ବଡ଼ ଖୁଲାସା; CSK ହେଡ୍ କୋଚ୍ ହେବାକୁ ଏହି ଖେଳାଳିଙ୍କୁ ମିଳିଥିଲା ଅଫର, ହେଲେ…

ଚେନ୍ନାଇ,୨୩।୯: ଆଇପିଏଲ୍‌ ୨୦୨୭ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଜାହିର ଖାନ୍‌ଙ୍କୁ ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରିଛି। ସେ ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନ ନେବେ। ତେବେ ଜାହିରଙ୍କ ନିଯୁକ୍ତିକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ଏକ ବଡ଼ ଦାବି ସାମ୍ନାକୁ ଆସିଛି ।

ଅଶ୍ୱିନ୍‌ଙ୍କ କହିବା ଅନୁସାରେ, ଜାହିର ଖାନ୍‌ଙ୍କୁ ହେଡ୍ କୋଚ୍ କରିବା ପୂର୍ବରୁ CSK ମ୍ୟାନେଜମେଣ୍ଟ ଅନେକ ବଡ଼ ନାମଙ୍କ ସହ ଯୋଗାଯୋଗ କରିଥିଲା। ଏହି ତାଲିକାରେ ଗୁଜରାଟ ଟାଇଟନ୍ସର ହେଡ୍ କୋଚ୍ ଆଶିଷ ନେହରା ମଧ୍ୟ ଥିଲେ। ତେବେ ନେହରା CSKର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଆଶ୍ୱିନ୍ ଦାବି କରିଛନ୍ତି। ନିଜ ୟୁଟ୍ୟୁବ୍ ଚ୍ୟାନେଲରେ CSKର ହେଡ୍ କୋଚ୍ ପଦବୀ ସମ୍ପର୍କରେ ଆଲୋଚନା କରି ଆଶ୍ୱିନ୍ କହିଛନ୍ତି ଯେ, ଅନେକ କୋଚ୍‌ଙ୍କ ସହ ଆଲୋଚନା କରାଯାଇଥିଲା। ତାଙ୍କ ଅନୁସାରେ, ଏକ ସମୟରେ ଆଶିଷ ନେହରାଙ୍କୁ ମଧ୍ୟ ଆପ୍ରୋଚ୍ କରାଯାଇଥିଲା। କିନ୍ତୁ ନେହରା ଏହି ଅଫରକୁ ଗ୍ରହଣ କରିନଥିଲେ।

୨୦୨୨ ମସିହାରୁ ଆଶିଷ ନେହରା ଗୁଜରାଟ ଟାଇଟନ୍ସର ହେଡ୍ କୋଚ୍ ଅଛନ୍ତି। ପ୍ରଥମ ସିଜନ୍‌ରେ ତାଙ୍କ କୋଚିଂରେ ଗୁଜରାଟ ଟାଇଟନ୍ସ ଆଇପିଏଲ୍ ଟାଇଟଲ୍ ଜିତିଥିଲା। ୨୦୨୩ରେ ମଧ୍ୟ ଦଳ ଫାଇନାଲ୍‌ରେ ପହଞ୍ଚିଥିଲା, ଯେଉଁଠାରେ CSKଠାରୁ ପରାଜିତ ହୋଇଥିଲା। ଅଶ୍ୱିନ୍‌ଙ୍କ ଦାବି ଅନୁସାରେ, ଜାହିର ଖାନ୍ CSKର ହେଡ୍ କୋଚ୍ ପଦବୀ ପାଇଁ ପ୍ରଥମ ପସନ୍ଦ ନଥିଲେ। କିଛି ବିଦେଶୀ କୋଚ୍‌ଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ ବିଭିନ୍ନ କାରଣରୁ ସେହି ଡିଲ୍‌ ଚୂଡ଼ାନ୍ତ ହୋଇପାରିନଥିଲା।

ଅଶ୍ୱିନ୍ କହିଛନ୍ତି ଯେ, CSK ପକ୍ଷରୁ ହେଡ୍ କୋଚ୍ ପଦବୀ ପାଇଁ ମାତ୍ର ଏକ ବର୍ଷର ଚୁକ୍ତି ପ୍ରସ୍ତାବ ରହିଥିଲା। ଅନେକ ବଡ଼ ନାମ ଏହି ଏକ ବର୍ଷର ଡିଲ୍‌କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଜଣେ କୋଚ୍ ପ୍ରାୟ ଡିଲ୍‌ ପାଇଁ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତୁ CSK ସହ ଯୋଗଦେଲେ ଅନ୍ୟ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ କାମ କରିବାର ସୁଯୋଗ ହରାଇଥାନ୍ତେ। ଏହାପରେ ଜାହିର ଖାନ୍‌ଙ୍କୁ CSK ହେଡ୍ କୋଚ୍ ଦାୟିତ୍ୱ ଦିଆଯାଇଛି । ଅଶ୍ୱିନ୍ ମଧ୍ୟ ଜାହିରଙ୍କ ନିଯୁକ୍ତିକୁ ନେଇ ନିଜ ପ୍ରତିକ୍ରିୟାରେ ତାଙ୍କୁ ପ୍ରଶଂସା କରିଛନ୍ତି ।

 

Dharitri – Odisha’s No.1 Odia Daily

Share