Categories: ଖେଳ

ଆଇପିଏଲ୍‌ର ସର୍ବଶ୍ରେଷ୍ଠ ଚାଣକ୍ୟ ‘ନେହେରା ଜି’

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସର୍ବଶ୍ରେଷ୍ଠ ଚାଣକ୍ୟ ସାବ୍ୟସ୍ତ ହୋଇଛନ୍ତି ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍‌ ଆଶିଷ ନେହେରା। ପ୍ରଥମ କରି ଆଇପିଏଲ୍‌ ଖେଳୁଥିବା ଏକ ଟିମ୍‌ର କୋଚ୍‌ ଦାୟିତ୍ୱ ନିର୍ବାହ କରିଥିଲେ ସେ, ଯାହାକୁ ନେଇ ସନ୍ଦେହ ଉପୁଜିଥିଲା। ହେଲେ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦଳର ଟାଇଟଲ ହାସଲ କରିବାର ଲକ୍ଷ୍ୟକୁ ପୂରଣ କରିବାରେ ସେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଏହାକୁ ନେଇ ଚାରିଆଡେ ଏହି ନୂଆ ସୂତ୍ରଧରଙ୍କ ପ୍ରଶଂସା କରାଯାଉଛି।

ପ୍ରାରମ୍ଭରୁ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍‌ ବିବାଦରେ ରହିଥିଲା। ପ୍ରଥମେ ଟିମ୍‌ର ମାଲିକକୁ ନେଇ ବିବାଦ ପରେ ନାମ ଚୟନରେ ବିଳମ୍ବ ପରିଲକ୍ଷିତ ହୋଇଥିଲା। ପରେ ନେହେରାଙ୍କୁ କୋଚ୍‌ ନିଯୁକ୍ତ କରାଯିବା ଅନେକଙ୍କୁ ଚକିତ କରିଥିଲା। କାରଣ ନେହେରା ନିଜର କ୍ରିକେଟ କ୍ୟାରିୟରରେ ପ୍ରଦର୍ଶନରୁ ଅଧିକ ଆଘାତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହୁଥିଲେ। ଏଥିଲାଗି ତାଙ୍କୁ ଆଇପିଏଲ୍‌ର କୌଣସି ଟିମ୍‌ର ଏକାଦଶରେ ସ୍ଥାନ ମିଳିବା କଷ୍ଟକର ହେଉଥିଲା। ଏହାସତ୍ତ୍ୱେ ତାଙ୍କୁ ହଠାତ କୋଚ୍‌ ପଦ ମିଳିଥିଲା। ଅପରପକ୍ଷେ ଭାରତୀୟ ଟିମ୍‌କୁ ବିଶ୍ୱକପ୍‌ ଜିତାଇଥିବା କୋଚ୍‌ ଗ୍ୟାରି କିର୍ଷ୍ଟେନଙ୍କୁ ପରାମର୍ଶଦାତା ଭାବେ ଦଳରେ ସାମିଲ କରାଯାଇଥିଲା। ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ସବୁ ଚର୍ଚ୍ଚାର ଜବାବ ନେହେରା ନିଜର ନେତୃତ୍ୱ ନେବା ଶୈଳୀରେ ଦେଇଛନ୍ତି।

ଅକ୍ସନ ବେଳରୁ ଫାଇନାଲ ଖେଳିବା ଯାଏ ନିଜର ସ୍ବତନ୍ତ୍ରତା ପାଇଁ ଆଶିଷ ଚର୍ଚ୍ଚାରେ। ଲଗାତାର ଭାବେ ଦଳର ବିଜୟ ପରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଶେଷରେ ସେ ଖେଳାଳିମାନଙ୍କୁ ‘ଖେଳନ୍ତୁ, ଆରାମ କରନ୍ତୁ, ନିଦ ପୂରା କରନ୍ତୁ’ ବୋଲି କହୁଥିବା ଦେଖାଯାଇଥିଲା। ଏହାଛଡ଼ା ସେ ମଇଦାନରେ ପଇଡ ପିଉଥିବା, ଦହି ସରବତ ପିଉଥିବାର ଫଟୋ ସାମ୍ନାକୁ ଆସିଥିଲା। ମାତ୍ର ତାଙ୍କର ରଣନୀତି ସଠିକ ରହିଥିଲା। ଖେଳାଳିମାନଙ୍କ ସହ ସେ ଅଭ୍ୟାସ ବେଳେ ଅଧିକ ସମୟ ବିତାଉଥିଲେ। କାନ୍ଧରେ ହାତ ରଖି ବୁଝାଉଥିଲେ। ଫଳରେ ନୂଆ ଖେଳାଳିମାନେ ଖେଳରେ ସୁଧାର ଆଣିବା ସହ ନିଜ ଭିତରେ ଆତ୍ମବିଶ୍ୱାସ ବୃଦ୍ଧି କରିଥିଲେ।

ତେବେ କୋଚିଂ ପୂର୍ବରୁ ନେହେରାଙ୍କ କ୍ରିକେଟ କ୍ୟାରିୟର ଦେଖିଲେ, ସେ ସର୍ବଦା ନିଜର ଆହତ ସମସ୍ୟାକୁ ନେଇ ଚର୍ଚ୍ଚାରେ ରହୁଥିଲେ। କ୍ୟାରିୟରରେ ତାଙ୍କର ୧୨ ଥର ଅପରେଶନ ହୋଇଛି। ମାତ୍ର ଶେଷରେ ସେ ହିଟ୍‌ ସାବ୍ୟସ୍ତ ହୋଇଥିଲେ। ୨୦୧୭ରେ ‘ବ୍ରେକ୍‌ଫାଷ୍ଟ ଉଇଥ୍‌ ଚାମ୍ପିୟନ୍ସ’ରେ ତାଙ୍କର ଏକ ସାକ୍ଷାତକାର ଆସିଥିଲା। ଶୋ’ ପରଠାରୁ ତାଙ୍କର ନାମ ‘ନେହେରା ଜି’ ଭାବେ ଲୋକପ୍ରିୟ ହୋଇଥିଲା।

Share