Categories: ଜାତୀୟ

ଲଖିମପୁର ଖେରି: ଇଣ୍ଟରନେଟ ବନ୍ଦ, ସିଦ୍ଧୁ ଧାରଣାରେ, ୧୮ ଘଣ୍ଟା ପରେ ଦ୍ୱିତୀୟ ନୋଟିସ

ଲକ୍ଷ୍ନୌ,୯ ।୧୦: କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ତିକୁନିୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କୁ ନୋଟିସ ପରେ ବି ଶୁକ୍ରବାର ସେ ହାଜର ନ ହେବାରୁ ପୁଣିଥରେ ତାଙ୍କ ଘର ସାମ୍ନାରେ ଶନିବାର ୧୧ ସୁଦ୍ଧା ହାଜର ହେବାକୁ ନୋଟିସ ଲଗାଇ ଦିଆଯାଇଛି । ଶୁକ୍ରବାର ପୋଲିସ ଲାଇନରେ ଥିବା କ୍ରାଇମ ବ୍ରାଞ୍ଚ ଅଫିସରେ ସେ ହାଜର ହେବାର ଥିଲା । ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲଖିମପୁର ଖେରିରେ ଆନ୍ଦୋଳନ ରତ କୃଷକଙ୍କ ଉପରେ ଗାଡି ମଡାଇ ଦେଇ ସେମାନଙ୍କୁ ହତ୍ୟା କରିବା ଅଭିଯୋଗ ଆଶିଷଙ୍କ ନାଁରେ ରହିଛି । ଅନ୍ୟପଟେ ଲଖିମପୁର ଖେରି ମାମଲା ବେଳକୁ ବେଳ ରାଜନୈତିକ ରୂପ ନେଉଥିବା ବେଳେ ଏବେ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଉଛି । ବିରୋଧୀ ଦଳ ନେତାଙ୍କର ଯା’ଆସ ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସେଠାରେ ପୁଣିଥରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଶୁକ୍ରବାର ସନ୍ଧାରୁ ଏହା ବନ୍ଦ ରହିଛି । ଅନ୍ୟପଟେ ଲଖିମପୁର ଖେରି ମାମଲାକୁ ବିରୋଧ କରି ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ମୌନ ଅନଶନରେ ବସିଥିବା ଶୁଣିବାକୁ ମିଳିଛି । ତାଙ୍କର ଦାବି ରହିଛି ଯେ ପର୍ଯ୍ୟନ୍ତ ପ୍ରକୃତ ଦୋଷୀକୁ ଧରାଯାଇ ନାହିଁ ଅବା କେନ୍ଦ୍ରମନ୍ତ୍ରୀଙ୍କ ପୁଅକୁ ଗିରଫ କରାଯାଇ ନହିଁ ସେ ପର୍ଯ୍ୟନ୍ତ ସେ ଅନଶନରେ ବସିବେ ବୋଲି କହିଛନ୍ତି ।

Share