Categories: ଜାତୀୟ

‘ଜାପାନର ରେଙ୍କୋଜୀ ମନ୍ଦିରରେ ଥିବା ପାଉଁଶର ଡିଏନ୍‌ଏ ଟେଷ୍ଟ କରାଯାଉ’

ନୂଆଦିଲ୍ଲୀ,୨୩।୧ : ନେତାଜୀ ସୁବାଷ ଚନ୍ଦ୍ର ବୋସ ୧୯୪୫ ଅଗଷ୍ଟ ୧୮ ତାରିଖରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଶବଦାହ ପରେ ତାଙ୍କ ପାଉଁଶକୁ ଜାପାନର ରେଙ୍କୋଜୀ ମନ୍ଦିରରେ ରଖାଯାଇଛି। ଏହାର ଡିଏନ୍‌ଏ ଯାଞ୍ଚ ପାଇଁ ଦାବି କରିଛି ତୃଣମୂଳ କଂଗ୍ରେସ। ଅନ୍ୟପକ୍ଷରେ ନେତାଜୀଙ୍କ ମୃତ୍ୟୁ ସମ୍ପର୍କୀତ ତଥ୍ୟକୁ କେନ୍ଦ୍ର କାହିଁକି ପ୍ରଘଟ କରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

“ନେତାଜୀ କେଉଁଠିଥିଲେ ଆଜି ପର୍ଯ୍ୟନ୍ତ ଆମକୁ ଜଣାନାହିଁ। ନେତାଜୀଙ୍କ ମୃତ୍ୟୁ ଉପରେ ତଥ୍ୟ ପ୍ରଘଟ କରିବାକୁ କେନ୍ଦ୍ର ସରକାର କଥା ଦେଇଥିଲେ। କିନ୍ତୁ କିଛି ଘଟିଲା ନାହିଁ। ଆମେ (ରାଜ୍ୟ ସରକାର) ନେତାଜୀଙ୍କ ସମ୍ପର୍କୀତ ତଥ୍ୟ ପ୍ରକାଶ କରିସାରିଛୁ” ବୋଲି ନେତାଜୀଙ୍କ ୧୨୫ତମ ଜନ୍ମବାର୍ଷିକ ଅବସରରେ ଆୟୋଜିତ ଇଭେଣ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଶ୍ଚିମବଙ୍ଗରେ ନେତାଜୀଙ୍କ ମୃତ୍ୟୁ ବିବାଦ ଅନ୍ୟତମ ବଡ଼ ପ୍ରସଙ୍ଗ। ୧୯୪୫ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇ ନ ଥିବା ଅନେକ ଆଜି ବି ବିଶ୍ୱାସ କରନ୍ତି। କିନ୍ତୁ ୨୦୧୭ରେ ସୂଚନା ଅଧିକାର ଆଇନ ବଳରେ ୧୯୪୫ ଅଗଷ୍ଟ ୧୮ ତାରିଖରେ ବିମାନ ଦୁର୍ଘଟଣାରେ ନେତାଜୀ ପ୍ରାଣ ହରାଇଥିବା ଜଣାପଡ଼ିଥିଲା।

Share