ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ପୁଣି ଥରେ ଶିକ୍ଷା ସ୍ରୋତରେ ସାମିଲ କରିବା।
ଏନ୍ଏସି କ୍ଲଷ୍ଟର ସିଆରସିସି ଅନୀଲ କୁମାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ (ABEO) ବାଳା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ନିଜ ଉଦ୍ବୋଧନରେ କହିଥିଲେ ଯେ, ଅଧାରୁ ପାଠ ଛାଡ଼ିଥିବା କିମ୍ବା ଆଦୌ ନାମ ଲେଖାଇ ନଥିବା ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ। ‘ନିପୁଣ ଓଡ଼ିଶା’ର ଲକ୍ଷ୍ୟ ହାସଲ ପାଇଁ ଶତ ପ୍ରତିଶତ ପିଲାଙ୍କୁ ସ୍କୁଲ ମୁହାଁ କରିବା ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ।
ସଭାରେ ମଧୁବିଦ୍ୟାପୀଠ ପରିଚାଳନା କମିଟି ସଭାପତି ଗୌର ଚନ୍ଦ୍ର ପଟ୍ଟନାୟକ, ବଡ଼ଖେମୁଣ୍ଡି ହାଇସ୍କୁଲ ସଭାପତି ଉଦୟନାଥ ସାମନ୍ତ ଏବଂ କବିସୂର୍ଯ୍ୟ ବିଦ୍ୟାଳୟ ସଭାପତି ତାରାପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ସହକାରୀ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷୟତ୍ରୀ ଭାଗ୍ୟଲକ୍ଷ୍ମୀ ପାଣିଗ୍ରାହୀ, କାଉନସିଲର ପ୍ରତିନିଧି ରମେଶ ଚନ୍ଦ୍ର ଜେନା ଏବଂ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକମାନେ ଉପସ୍ଥିତ ରହି ଏହି ଅଭିଯାନକୁ ସଫଳ କରିବା ପାଇଁ ସଂକଳ୍ପ ନେଇଥିଲେ।


