୨ ଥର ବିବାହ କରି ମଧ୍ୟ ଏକୁଟିଆ ଜୀବନ ବିତାଉଛନ୍ତି ମେଲୋଡି କୁଇନ୍‌

ମୁମ୍ବାଇ: ବଲିଉଡର ମେଲୋଡି କୁଇନ ଭାବରେ ଜଣାଶୁଣା ଆଶା ଭୋସଲେ ଆଜି ୮୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୩୩ ମସିହାରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିଲେ। ସେ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆଶା ଭୋସଲେଙ୍କ ବଡ ଭଉଣୀ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୧୪ ବର୍ଷ ବୟସରୁ କାମ ଆରମ୍ଭ କରିଥିଲେ। ପିତାଙ୍କ ଅକାଳ ବିୟୋଗ ହେତୁ ବଡ ଝିଅ ଲତା ସମସ୍ତ ଦାୟିତ୍ୱ ନେଇଥିଲେ। କିନ୍ତୁ ପିଲାଦିନରୁ ଆଶାଙ୍କର ଏକ ଭିନ୍ନ ମନୋଭାବ ଥିଲା। ସେ କୌଣସି ପ୍ରକାର ନିୟମରେ ବାନ୍ଧି ହେବାକୁ ପସନ୍ଦ କରି ନ ଥିଲେ। ଏହି କାରଣରୁ ସେ ନିଜ ପଥ ବାଛିଲେ। ୧୬ ବର୍ଷ ବୟସରେ ଆଶା ଗଣପତରାଓ ଭୋସଲେଙ୍କୁ ବିବାହ କରିଥିଲେ। ଗଣପତରାଓଙ୍କୁ ସେତେବେଳେ ୩୧ ବର୍ଷ ହୋଇଥିଲା। ଖୁବ କମ ଲୋକ ଜାଣନ୍ତି ଯେ ଗଣପତରାଓ ସେହି ସମୟରେ ଲତା ମଙ୍ଗେଶକରଙ୍କ ବ୍ୟକ୍ତିଗତ ସଚିବ ଥିଲେ।
ଏକ ସାକ୍ଷାତକାରରେ ଆଶା ନିଜେ କହିଥିଲେ ଯେ ମୋ ବିବାହରେ ଲତା ଦିଦି ଆଦୌ ରାଜି ନ ଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ବହୁତ ଝଗଡା ହୋଇ ଦୂରତା ଆସିଥିଲା। ଦୀର୍ଘ ସମୟ ଧରି ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ନ ଥିଲା। ଆଶା ଭୋସଲେ ଏବଂ ଗଣପତରାଓଙ୍କ ୩ଟି ସନ୍ତାନ ଥିଲେ। କିନ୍ତୁ ପରେଦୁହେଁ ଅଲଗା ହୋଇଗଲେ। ଏହା ପରେ ଆଶା ଭୋସଲେ ସଙ୍ଗୀତକାର ଆରଡି ବର୍ମନଙ୍କୁ ବିବାହ କରିଥିଲେ। ବର୍ମନ ମଧ୍ୟ ପୂର୍ବରୁ ବିବାହ କରିଥିଲେ ଏବଂ ତାଙ୍କର ପ୍ରଥମ ସ୍ତ୍ରୀ ରୀତା ପଟେଲଙ୍କଠାରୁ ଛାଡପତ୍ର ଦେଇଥିଲେ। ଦୁହିଁଙ୍କ ପ୍ରେମ ସେମାନଙ୍କୁ ନିକଟତର କରିଥିଲା। ବର୍ମନ ଆଶା ତାଇଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବର ବହୁ ଦିନ ପରେ ଆଶା ତାଇ ତାଙ୍କୁ ବିବାହ କରିବାକୁ ରାଜି ହେଲେ ଏବଂ ୧୯୮୦ରେ ଦୁହେଁ ବିବାହ କଲେ। କିଛି ବର୍ଷ ପରେ ଏହି ବିବାହ ମଧ୍ୟ ଭାଙ୍ଗିଥିଲେ। ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ ଆର.ଡି ବର୍ମନଙ୍କ ଅକାଳ ବିୟୋଗ ଘଟିଥିଲା।

Share