ଫସଲ ଜଳମଗ୍ନ, ଆଜବେଷ୍ଟସ ଗୃହ ନଷ୍ଟ

ବଡ଼ମ୍ବା/ତିଗିରିଆ,୧୨ା୮(ଡି. ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ବଡ଼ମ୍ବା ଓ ତିଗିରଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଡ଼ମ୍ବା ବ୍ଲକରେ ବହୁ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବିଶେଷ କରି ବଡମ୍ବାର ଶଙ୍ଖାମେରୀ ଓ ଗୋପମଥୁରା ପଞ୍ଚାୟତର ବହୁ ଫସଲ ନଷ୍ଟ ହୋଇଯାଇଛି। ଏନେଇ ଚାଷୀମାନେ ଚିନ୍ତିତ ଅଛନ୍ତି। ବାଲିଜୋରି ଓ ସିଆରିଆ ନାଳ ଦେଇ ବର୍ଷା ଜଳ ଠିକ୍‌ଭାବେ ନିଷ୍କାସିତ ହେଉ ନ ଥିବାରୁ କ୍ଷେତରେ ପାଣି ଜମି ରହୁଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଖବରପାଇ ତହସିଲଦାର ତପନ କୁମାର ପରିଡା, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଶାନ୍ତ କୁମାର ଜେନା, ଜିଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ, ସାନବାରସିଂ ପଞ୍ଚାୟତ ସରପଞ୍ଚ ସଦାନନ୍ଦ ସ୍ବାଇଁ ପ୍ରମୁଖ ନାଳ ପରିଦର୍ଶନରେ ଆସିଥିଲେ। ନାଳ ମଧ୍ୟରେ ଅନେକ ସ୍ଥାନରେ ଅନାବଶ୍ୟକ ଚେକ୍‌ଡ୍ୟାମ କରାଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଚାଷୀମାନେ କହିଥିଲେ। ସିଆରିଆ ନାଳ ମୁହଁରେ ଏକ ଚଉଡ଼ା ଫୁକାର କରାଗଲେ ଅଧିକ ଜଳ ନିଷ୍କାସିତ ହୋଇପାରିବ ବୋଲି ତହସିଲଦାର ଓ ଅନ୍ୟମାନେ ଅନୁଭବ କରିଥିଲେ। ଏ ସମ୍ପର୍କରେ ଉପସ୍ଥିତ ଜନ ପ୍ରତିନିଧି ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କୁ ଫୋନ ଯୋଗେ ଅବଗତ କରାଇଛନ୍ତି।
ତିଗିରିଆସ୍ଥିତ ଜେମାଦେଇପୁର ପଞ୍ଚାୟତର ଗୋଡ଼ି ସାହିରେ କୈଳାସ ଜେନାଙ୍କ ୨ ପୁରୁଣା ଆଜବେଷ୍ଟସ ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ସୌଭାଗ୍ୟବଶତଃ ପରିବାର ଲୋକେ ରକ୍ଷା ପାଇଯାଇଛନ୍ତି। ଖବର ଅନୁଯାୟୀ,ସ୍ତ୍ରୀ ଓ ପୁଅ, ବୋହୂଙ୍କ ସହ କୈଳାସ ଉକ୍ତ ଗୃହରେ ରୁହନ୍ତି। ବୁଧବାର ରାତିରେ ଲଗାଣ ବର୍ଷା ଯୋଗୁ ଏହା ଭୁଶୁଡ଼ି ଯାଇଥିଲା। ଏଥିରେ କୈଳାସଙ୍କ ଧାନ, ଚାଉଳ ଓ ଅନ୍ୟାନ୍ୟ ଆସବାବପତ୍ର ଆଦି ନଷ୍ଟ ହୋଇଯାଇଛି। କୈଳାସ ଗୁରୁବାର ତହସିଲ କାର୍ଯ୍ୟାଳୟକୁ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ଛୁଟି ଥିବାରୁ ନିରାଶ ହୋଇ ଫେରିଥିଲେ। ଏନେଇ ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେଙ୍କୁ ମୋବାଇଲ୍‌ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଏ ବିଷୟରେ ନୂଆପାଟଣା ରାଜସ୍ବ ନିରୀକ୍ଷକ ମନୋରଞ୍ଜନ ପାତ୍ର କହିଛନ୍ତି, ରକ୍ଷାବନ୍ଧନ ପାଇଁ ଛୁଟି ଥିଲା ଶୁକ୍ରବାର ତଦନ୍ତ କରାଯାଇ ସହୟତା ଯୋଗାଇ ଦିଆଯିବ।