ବଡ଼ ଗୁମର ଖୋଲିଲେ ଆର୍ଯ୍ୟବୀର ସେହ୍ବାଗ: ଯନ୍ତ୍ରଣାରେ ଛଟପଟ ହେଉଥିଲେ….

ନୂଆଦିଲ୍ଲୀ,୧୭।୧୧: କ୍ରିକେଟ ପଡ଼ିଆରେ ଲଢ଼େଇ କେବଳ ବ୍ୟାଟ ଓ ବଲ୍‌ରେ ହୁଏ ନାହିଁ, ବେଳେବେଳେ ମନୋବଳ ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ମଧ୍ୟ ବଡ଼ ଭୂମିକା ନିଭାଇଥାଏ। ଏହାର ଉଦାହରଣ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର। ନିକଟରେ ଶେଷ ହୋଇଥିବା ୨୦୨୬ ଅଣ୍ଡର-୧୯ ଏସିଆ କପ୍‌ରେ ଦମଦାର ପ୍ରଦର୍ଶନ କରି ସେ ପ୍ଲେୟର ଅଫ ଦି ସିରିଜ ହୋଇଥିଲେ। ଏବେ ଫାଇନାଲ ମ୍ୟାଚକୁ ନେଇ ତାଙ୍କର ଏକ ଖୁଲାସା ଚର୍ଚ୍ଚାକୁ ଆସିଛି। ବିସିସିଆଇ ପକ୍ଷରୁ ଆର୍ଯ୍ୟବୀର ଓ ଭାରତୀୟ ଅଣ୍ଡର-୧୯ ଦଳର ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ଆର୍ଯ୍ୟବୀର ପାକିସ୍ତାନ ବିପକ୍ଷ ଫାଇନାଲ୍‌ରେ ଅନେକ ରୋଚକ କଥା କହିଛନ୍ତି।

ଆର୍ଯ୍ୟବୀର କହିଛନ୍ତି, ଫାଇନାଲ ମ୍ୟାଚ୍‌ରେ ସେ ଅଧିନାୟକ ଲକ୍ଷ୍ୟଙ୍କୁ ମଧ୍ୟ କିଛି ଜପ କରୁଥିବା ଦେଖିଥିଲେ। କିନ୍ତୁ ସେ ନିଜେ ୩୨ତମ ଓଭରରୁ ‘ସୀତାରାମ-ସୀତାରାମ’ ଜପ କରିବା ଆରମ୍ଭ କରିଥିଲେ ଦଳର ସମସ୍ତ ଖେଳାଳିଙ୍କ ମନରେ ବିଜୟ ନେଇ ଦୃଢ଼ ବିଶ୍ୱାସ ଥିଲା। ସମସ୍ତେ ଗୋଟିଏ ସ୍ଥାନରେ ବସିଥିଲେ। କେହି ନିଜ ସ୍ଥାନରୁ ହଲୁ ନ ଥିଲେ। ସମସ୍ତଙ୍କୁ ଭରସା ଥିଲା ଯେ ଭାରତୀୟ ଖେଳାଳି ମ୍ୟାଚ ଜିତାଇଦେବେ। ଶେଷରେ ଭଗବାନଙ୍କ କୃପାରୁ ଉଲୱା ଫାଇନାଲ ଶଟ ଖେଳିଥିଲେ ଏବଂ ସବୁକିଛି ଭାରତ ସପକ୍ଷରେ ଯାଇଥିଲା। ଫାଇନାଲ ମ୍ୟାଚ୍‌ରେ ଆହତ ହେବା ପରେ ମଧ୍ୟ ଆର୍ଯ୍ୟବୀର ପଡ଼ିଆ ଛାଡ଼ିବାକୁ ଚାହିଁ ନ ଥିଲେ। ତାଙ୍କ ବାହୁରେ ବଲ ବାଜିବା ପରେ ଭୀଷଣ ଯନ୍ତ୍ରଣା ହେଉଥିଲା। କୋଚ ସୁରେଶ ସାର୍‌ ତାଙ୍କ ବାହୁରେ ଫୁଲା ଦେଖି ଚିନ୍ତା ପ୍ରକାଶ କରିଥିଲେ।

କିନ୍ତୁ ଆର୍ଯ୍ୟବୀରଙ୍କ ମନରେ ଥିଲା ଅଲଗା ଜୋସ। ସେ କହିଥିଲେ, ଭାରତ-ପାକିସ୍ତାନ ମ୍ୟାଚ ଖେଳିବାର ସୁଯୋଗ ବାରମ୍ବାର ମିଳେ ନାହିଁ। ତା’ ପୁଣି ଫାଇନାଲ ମ୍ୟାଚ। ଏହା ଭାରତୀୟ ଅଣ୍ଡର-୧୯ ଦଳ ସହ ତାଙ୍କର ଶେଷ ଇଭେଣ୍ଟ ଥିଲା। ତେଣୁ ଏଭଳି ସମୟରେ ସେ ନିଜ ଦଳକୁ ଛାଡ଼ି ଯାଇପାରି ନ ଥାନ୍ତେ।

ଆର୍ଯ୍ୟବୀର ଆହୁରି କହିଛନ୍ତି ଯେ, ଯନ୍ତ୍ରଣା ସହି ଲଢ଼ିବା ଏବଂ ଦଳ ପାଇଁ ଯୋଗଦାନ ଦେବାର ଶକ୍ତି ତାଙ୍କୁ ଭଗବାନ ଦେଇଥିଲେ। ଏଥିପାଇଁ ସେ ଭଗବାନଙ୍କ ନିକଟରେ କୃତଜ୍ଞ। ଅଣ୍ଡର-୧୯ ଏସିଆ କପ୍‌ରେ ଆର୍ଯ୍ୟବୀରଙ୍କ ବ୍ୟାଟ ଜୋରଦାର ଚାଲିଥିଲା। ସେ ପାଞ୍ଚଟି ମ୍ୟାଚ୍‌ର ପାଞ୍ଚଟି ପାଳିରେ ୯୦.୨୫ ହାରରେ ମୋଟ ୩୬୧ ରନ ସଂଗ୍ରହ କରିଥିଲେ।

ଏହି ସମୟରେ ତାଙ୍କ ବ୍ୟାଟ୍‌ରୁ ଗୋଟିଏ ଶତକ ଓ ତିନୋଟି ଅର୍ଦ୍ଧଶତକ ବାହାରିଥିଲା। ଟୁର୍ନାମେଣ୍ଟରେ ତାଙ୍କ ସର୍ବାଧିକ ସ୍କୋର ଥିଲା ୧୬୦ ରନ। ଏଭଳି ଚମତ୍କାର ପ୍ରଦର୍ଶନ ପାଇଁ ସେ ପ୍ଲେୟର ଅଫ ଦି ସିରିଜ ଟାଇଟଲ ହାସଲ କରିଥିଲେ।

Dharitri – Odisha’s No.1 Odia Daily

Share