ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଓପନର୍ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ Vinoo Mankad Trophy ପାଇଁ ତାଙ୍କୁ ଦିଲ୍ଲୀ ପୁରୁଷ ଅଣ୍ଡର-୧୯ ଟିମ୍ର ଅଧିନାୟକ ଭାବେ ଘୋଷଣା କରିଛି ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ (DDCA)।
DDCAର ଜୁନିୟର ପୁରୁଷ ଚୟନ କମିଟିର ବୈଠକ ପରେ ୧୬ ଜଣିଆ ଦଳ ଚୟନ କରାଯାଇଛି । ଆସନ୍ତା ୮ ଅକ୍ଟୋବରରୁ ବିଶାଖାପାଟଣାରେ Vinoo Mankad Trophy ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଆର୍ଯ୍ୟବୀରଙ୍କ ନେତୃତ୍ୱରେ ଦିଲ୍ଲୀ U-19 ଟିମ୍ ମଇଦାନକୁ ଓହ୍ଲାଇବ । ଅର୍ଣ୍ଣବ ବୁଗ୍ଗାଙ୍କୁ ଦଳର ଉପଅଧିନାୟକ କରାଯାଇଛି।
ଆର୍ଯ୍ୟବୀର ନିକଟରେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିଜର ଛାପ ଛାଡ଼ିଛନ୍ତି । ଗତ ମାସରେ ଅଷ୍ଟ୍ରେଲିଆ U-19 ବିପକ୍ଷ ଦିନିକିଆ ସିରିଜ୍ରେ ସେ ଭାରତୀୟ U-19 ଟିମ୍ ପାଇଁ ଡେବ୍ୟୁ କରିଥିଲେ ।ସିରିଜ୍ର ପ୍ରଥମ ମ୍ୟାଚ୍ରେ ଆର୍ଯ୍ୟବୀର ୨୮ ରନ୍ କରିଥିଲେ । ଦ୍ୱିତୀୟ ମ୍ୟାଚ୍ରେ ୪୭ ରନ୍ କରି ରନ୍ଆଉଟ୍ ହୋଇଥିଲେ । ତୃତୀୟ ମ୍ୟାଚ୍ରେ ମଧ୍ୟ ସେ ଭଲ ଆରମ୍ଭ କରି ୩୪ ରନ୍ର ଉପଯୋଗୀ ଇନିଂସ ଖେଳିଥିଲେ।
୧୮ ବର୍ଷୀୟ ଆର୍ଯ୍ୟବୀରଙ୍କ ପାଖରେ ସିନିୟର ସ୍ତରର T20 କ୍ରିକେଟ୍ର ଅଭିଜ୍ଞତା ମଧ୍ୟ ରହିଛି। ଚଳିତ ବର୍ଷ ଦିଲ୍ଲୀ ପ୍ରିମିୟର ଲିଗ୍ରେ ସେ ୱେଷ୍ଟ ଦିଲ୍ଲୀ ଲାୟନ୍ସ ପକ୍ଷରୁ ଖେଳିଥିଲେ। ଟୁର୍ନାମେଣ୍ଟରେ ସେ ଦୁଇଟି ମ୍ୟାଚ୍ ଖେଳି ୨୪ ରନ୍ କରିଥିଲେ।ସିନିୟର ଖେଳାଳିଙ୍କ ସହ ଡ୍ରେସିଂ ରୁମ୍ ସେୟାର କରିବାର ଅଭିଜ୍ଞତା ତାଙ୍କୁ U-19 ସ୍ତରରେ ଅଧିନାୟକ ଦାୟିତ୍ୱ ତୁଲାଇବାରେ ସହାୟକ ହୋଇପାରେ । ଏହି କାରଣରୁ DDCA ତାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦେଇଥିବା କୁହାଯାଉଛି।
ଆର୍ଯ୍ୟବୀର ସେହୱାଗ (ଅଧିନାୟକ), ତନ୍ମୟ ଚୌଧୁରୀ, ଅର୍ଣ୍ଣବ ବୁଗ୍ଗା (ଉପଅଧିନାୟକ), ଧନ୍ୟ ନକଡ଼ା, ଉଦୟ ଚାୱଲା, ଗର୍ବ କୁମାର, ଅଭିରାଜ ଗଗନ ସିଂହ (ୱିକେଟକିପର୍), ତରୁଣ ସିଂହ (ୱିକେଟକିପର୍), ଆର୍ଯ୍ୟନ ଶର୍ମା, ଓଜସଦୀପ ସିଂହ, କିରିଟ୍ କୌଶିକ, ବରୁଣ ବଞ୍ଜାନୀ, ରୁଦ୍ର ଦେବ ଯାଦବ, ପ୍ରଦ୍ୟୁମ୍ନ ସାନନ, ପାର୍ଥ ରାଜ ଓ ଶାନ୍ତନୁ ଯାଦବ।