ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ।
ଛତ୍ରପୁରସ୍ଥିତ ଉପଜିଲାପାଳଙ୍କ କାର୍ୟଯାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଶ୍ରୀ ବରାଳ ଆର୍ଯ୍ୟପଲ୍ଲୀ ଗ୍ରାମପଞ୍ଚାୟତ ବାସୀଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ବନ୍ଦର କର୍ତ୍ତୃପକ୍ଷ ଉପସ୍ଥିତ ନହେବାରୁ ଉପଜିଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୧୭ ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ତ୍ରିପାକ୍ଷିକ ବୈଠକର କେ. ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ ଏବଂ ବଡ ଆର୍ଯ୍ୟପଲ୍ଲୀର ପାର୍ଶ୍ୱବର୍ତ୍ତୀ କୂଳରେ ଦୈନିକ ୫୦ ଟ୍ରିପ ପଥର ପକାଇବା ପାଇଁ ଗଞ୍ଜାମ ଜିଲାପାଳ ଭି. କିର୍ତ୍ତୀ ୱାସନ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ଏହାକୁ ଅବମାନନା କରିଥିବା ନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ବନ୍ଦର ୫୦ ଟ୍ରିପ ପଥର ପରିବର୍ତ୍ତେ କେବଳ ୨୦ – ୩୦ ଟ୍ରିପ ପଥର ପକାଇ କାମ ବନ୍ଦ କରିଦେଉଛନ୍ତି। ଦିନକୁ କେବଳ ୪ – ୫ ଘଣ୍ଟା କାମ ହେଉଛି ବୋଲି ସେ କହିଛନ୍ତି। ଏହି ଭଳି ମନ୍ଥର ଗତିରେ କାର୍ଯ୍ୟ ହେଲେ ଅକ୍ଟୋବର ଶେଷ ସୁଦ୍ଧା ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସମୁଦ୍ର ଆଁରେ ଲୀନ ହୋଇଯିବା ସମ୍ଭାବନା ରହିଛି ବୋଲି ସେମାନେ ଭୟଭୀତ ଅଛନ୍ତି।
ଏହାକୁ ନେଇ ଉପଜିଲାପାଳ ସୋମବାର ଅପରାହ୍ନରେ ଉପକୁଳରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରି ଜିଲ୍ଲାପାଳଙ୍କୁ ଅବଗତ କରିଛନ୍ତି ବୋଲି କହିଛନ୍ତି। ମଙ୍ଗଳବାର ବନ୍ଦର କର୍ତ୍ତୃପକ୍ଷଙ୍କ ସହ ବୈଠକ ଅନୁଷ୍ଠିତ କରିବା ପାଇଁ ଉପଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପଥର ଗ୍ରୋଇନ କାର୍ଯ୍ୟରେ ତତ୍ପରତା ଆଣିବା ପାଇଁ କହିଛନ୍ତି।
ଏହି ବୈଠକରେ ଛତ୍ରପୁର ଉପଜିଲାପାଳଙ୍କ ସମେତ ଗଞ୍ଜାମ ଜିଲା ମତ୍ସ୍ୟଜୀବୀ ଫୋରମ ସଭାପତି ଏମ. ଗୁମାଲି, ଫୋରମ ସମ୍ପାଦକ ବି. ଭୀମସେନ, ସାନ ଆର୍ଯ୍ୟପଲ୍ଲୀ ଗ୍ରାମ ସଭା ସଭାପତି ବି. ସୀମା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର, ଗଞ୍ଜାମ ଜିଲ୍ଲା ଭାଜପା ଯୁବ ମୋର୍ଚ୍ଚା ସଭାପତି ଟି. ରାମ ବାବୁ, ସାନ ଆର୍ଯ୍ୟପଲ୍ଲୀ ଗ୍ରାମ ସଭା ପୂର୍ବତନ ସମ୍ପାଦକ ଏମ. ଦିଲ୍ଲୀପ, ଇ. ନରସିଂହ, ସିଏଚ. ଅନନ୍ତ ଏବଂ ଏମ. ଗୋବିନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟ ଶୀଘ୍ର ନ ହେଲେ ବନ୍ଦର ଫାଟକ ସମ୍ମୁଖରେ ଗ୍ରାମବାସୀ ପୁନର୍ବାର ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।