Categories: ଜାତୀୟ

ପ୍ରଚାର ମଇଦାନରେ କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ, ଝିଅ

ଚଣ୍ଡିଗଡ଼,୧୦।୨: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ବିଭିନ୍ନ ଦଳ ପ୍ରଚାର ପାଇଁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ସ୍ତ୍ରୀ ସୁନୀତା ଝିଅ ହର୍ଷିତାଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ପଞ୍ଜାବରେ ପହଞ୍ଚିବେ। ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କ ପାଇଁ ପ୍ରଚାର କରିବେ। ଫେବୃଆରୀ ୧୧ରେ ଏଏପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନ ଧୁରୀରେ ମହିଳାଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ସୁନୀତା ଏବଂ ତାଙ୍କ ଝିଅ ଯୋଗଦେବେ।
ଆମ ଆଦମୀ ପାର୍ଟିର (ଏଏପି) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନ ସାଙ୍ଗରୁର ଜିଲାର ଧୁରୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ମାନ ଜଣେ ବଡ ହାସ୍ୟ ଅଭିନେତା ଭାବରେ ଜଣାଶୁଣା। ସେ ୨୦୧୧ରେ ରାଜନୀତିରେ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୨ ରେ ପଞ୍ଜାବର ଲେହରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହା ପରେ, ୨୦୧୭ ବିଧାନସଭା ନିର୍ବାଚନରେ ଭଗଓ୍ବନ୍ତଙ୍କୁ ଜଲାଲାବାଦର ଆମ ଆଦମୀ ପାର୍ଟି ଟିକେଟ ଦେଇଥିଲା। ତେବେ ଏଥର ମଧ୍ୟ ଭଗବନ୍ତ ମନ ୧୮,୫୦୦ ଭୋଟରେ ସୁଖବୀର ସିଂ ବାଦଲଙ୍କ ଠାରୁ ନିର୍ବାଚନରେ ହାରିଯାଇଥିଲେ। ଏହି ସମୟରେ, ଲୋକ ସଭା ନିର୍ବାଚନରେ ମାନ ସାଙ୍ଗରୁ ଆସନରୁ ଜିତିଥିଲେ।

Share