‘ମୁଁ ଆତଙ୍କବାଦୀ ନୁହେଁ, ଜନତା ଦେଲେ ପ୍ରମାଣ’

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ରାଜ୍ୟରେ ୯୧ଟି ଆସନ ଜିତି ସରକାର ଗଢିବାକୁ ଯାଉଛି। ପଞ୍ଜାବରେ ବିପୁଳ ବିଜୟ ପରେ ଏଏପି ସଭାପତି ଅରବିନ୍ଦ କେଜ୍‌ରିୱାଲ କହିଛନ୍ତି, ପଞ୍ଜାବରେ ବିପ୍ଳବ ଆସିଛି, ଆଜି ବଡ ବଡ ନେତା ହାରିଯାଇଛନ୍ତି। ଆମେ ସଚ୍ଚୋଟ ରାଜନୀତି ଆରମ୍ଭ କରି ପୁରା ବ୍ୟବସ୍ଥାରେ ପରିବର୍ତ୍ତନ କରିଛୁ। ଆମେ ପିଲାମାନଙ୍କୁ ଶିକ୍ଷିତ କରିବାର କାର୍ଯ୍ୟ କରିଛୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଦଳ ଆମ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ। ମୋତେ ଆତଙ୍କବାଦୀ ବୋଲି କହିଥିଲେ। ଆଜି ଲୋକମାନେ ପ୍ରମାଣ କରିଛନ୍ତି କେଜ୍‌ରିୱାଲ ଆତଙ୍କବାଦୀ ନୁହଁନ୍ତି ବରଂ ପ୍ରକୃତ ଦେଶଭକ୍ତ। ଆଜି ଆମ ପିଲାମାନଙ୍କୁ ଚିକିତ୍ସା ଶିକ୍ଷା ପାଇଁ ୟୁକ୍ରେନ ଯିବାକୁ ପଡୁଛି, କିନ୍ତୁ ଆମେ ଏପରି ଏକ ଭାରତ ତିଆରି କରିବୁ ଯେଉଁଠାରେ ପିଲାମାନେ କେବଳ ଏଠାରେ ଶିକ୍ଷା ପାଇବେ। ଅନ୍ୟ ଦେଶର ପିଲା ଆସି ଏଠାରେ ପଢିବେ।
ଦିଲ୍ଲୀ-ପଞ୍ଜାବର ବିପ୍ଳବ ସାରା ଦେଶରେ ବ୍ୟାପିବ। ସମସ୍ତ ମହିଳା, ଯୁବକ ଏବଂ କୃଷକ ଆମ ଆଦମୀ ପାର୍ଟିରେ ଯୋଗଦେବା ଉଚିତ୍‌। ମୋବାଇଲ ମରାମତି ଦୋକାନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ପରାସ୍ତ କରିଛନ୍ତି। ଆମକୁ ଏତେ ସଂଖ୍ୟକ ଭୋଟ ମିଳିଛି, ଏହା ଦେଖି ମନରେ ଅହଂକାର ଆସିଯିବ ଭାବି ଆମକୁ ଡର ଲାଗୁଛି। ଅଂହକାର ଛାଡି କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ସେ ପରାମର୍ଶ ଦେଇଛନ୍ତି।

Share