Categories: ଜାତୀୟ

‘ପଞ୍ଜାବରେ ନୂଆ ସରକାର କାମ ଆରମ୍ଭ କଲେଣି, ୪ ରାଜ୍ୟରେ ତୁଟୁନି ଭାଜପା କଳି’

ନୂଆଦିଲ୍ଲୀ,୨୦।୩: ପଞ୍ଜାବରେ ବିଜୟ ପରେ ଆମ ଆଦମୀ ପାର୍ଟି ଏବେ ସକ୍ରିୟ ହୋଇପଡିଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ପଞ୍ଜାବର ସମସ୍ତ ବିଧାୟକଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଏହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏବଂ ଏଏପି ନେତା ରାଘବ ଚଢା ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟରେ କେଜ୍‌ରିୱାଲ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଥିଲେ, ମାନ ଶପଥ ନେବାର ତିନି ଦିନ ଭିତରେ କାମ କରିଦେଇଛନ୍ତି। ପଞ୍ଜାବରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ଆରମ୍ଭ ହୋଇଛି। ୨୫,୦୦୦ ଚାକିରି ଘୋଷଣା କରାଯାଇଛି। ଆମଠାରୁ ଲୋକଙ୍କ ଆଶା ବର୍ତ୍ତମାନ ଆତ୍ମବିଶ୍ୱାସରେ ପରିଣତ ହେଉଛି ବୋଲି ସେ କହିଛନ୍ତି।
ଏହି ବୈଠକରେ ଭାଜପାକୁ ଟାର୍ଗେଟ କରି ସେ କହିଛନ୍ତି, ଗୋଟିଏ ପଟେ ଭାଗଓ୍ବନ୍ତ ମନ ଶପଥ ଗ୍ରହଣ କରି କାମ ଆରମ୍ଭ କରିସାରିଲେଣି, ଅନ୍ୟପଟେ ୪ଟି ରାଜ୍ୟରେ ଜିତିଥିବା ଭାଜପା ଏପର୍ଯ୍ୟନ୍ତ ସରକାର ଗଠନ କରିପାରି ନାହିଁ। ଏବେ ସେମାନଙ୍କର ଝଗଡା ଚାଲିଛି।
ପଞ୍ଜାବରେ ବିଜୟ ପରେ ଆମ ଆଦମୀ ପାର୍ଟି ଏବେ ଗୁଜରାଟ ନିର୍ବାଚନ ଉପରେ ନଜର ରଖିଛି। ଏହା ବ୍ୟତୀତ ଅରବିନ୍ଦ କେଜ୍‌ରିିୱାଲଙ୍କ ନେତୃତ୍ୱାଧୀନ ଦଳ ମଧ୍ୟ ଆସନ୍ତା ବର୍ଷ ଛତିଶଗଡର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛି।

Share