Categories: ଜାତୀୟ

କେଜ୍ରିଓ୍ବାଲଙ୍କ ଟାର୍ଗେଟରେ ଗୁଜରାଟ

ଗାନ୍ଧୀନଗର,୬।୬: ଆମ ଆଦମୀ ପାର୍ଟି(ଏଏପି) ଟାର୍ଗେଟରେ ଏବେ ଗୁଜରାଟ। ଗୁଜରାଟରେ ନିଜର କ୍ଷମତା ବଢ଼ାଇବା ସହ ଜନତାଙ୍କୁ ଆକୃଷ୍ଟ କରିବାକୁ ଜୋରସୋରରେ ଲାଗିପଡ଼ିଛି ଏଏପି। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସୋମବାର ଗୁଜୁରାଟର ମେହସଣାଠାରେ ତ୍ରିରଙ୍ଗା ଯାତ୍ରା ବାହାର କରିଛନ୍ତି। ମେହସଣାରେ ଦଳ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ବାହାର କରାଯାଇଛି ଏବଂ ବିଗତ ୨୦ ଦିନରୁ ୧୮୨ ବିଧାନସଭାରେ ପରିବର୍ତ୍ତନ ଯାତ୍ରା ଚାଲିଛି ବୋଲି କେଜ୍ରିଓ୍ବାଲ ଅହମ୍ମଦାବାଦରେ ଖବରଦାତାଙ୍କୁ କହିଛନ୍ତି। ଏଥିସହ ଏହି ତ୍ରିରଙ୍ଗା ଯାତ୍ରାରେ ଅଧିକରୁ ଅଧିକ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ସେ ମେହସଣାବାସୀଙ୍କୁ ନିବେଦନ କରିଛନ୍ତି। ଏତଦ୍‌ବ୍ୟତୀତ ତ୍ରିରଙ୍ଗା ଯାତ୍ରା ସମୟରେ ଅରବିନ୍ଦ କେଜ୍ରିୱାଲ ଭାଜପା ଓ ସି.ଆର ପାଟିଲଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଗୁଜୁରାଟର ଲୋକମାନେ ଭୟଭୀତ ଅଛନ୍ତି ଏବଂ ସେମାନେ ପରିବର୍ତ୍ତନ ଚାହୁଁଛନ୍ତି। ଯୁଆଡେ ଗଲେ ଲୋକମାନେ ଅଭିଯୋଗ କରୁଛନ୍ତି ଯେ, ଭାଜପାର ଦଳୀୟ କର୍ମୀମାନେ ଦାଦାଗିରି କରୁଛନ୍ତି। ଯଦି କେହି ଭାଜପା ବିରୋଧରେ କିଛି କହୁଛି, ତେବେ ତାଙ୍କୁ ହତ୍ୟା କରିବା ଆରମ୍ଭ କରାଯାଉଛି। ତେବେ ଏଥିପାଇଁ ଏକମାତ୍ର ଔଷଧ ହେଉଛି ଆମ ଆଦମୀ ପାର୍ଟି ବୋଲି କେଜ୍ରିଓ୍ବାଲ କହିଛନ୍ତି। ଅନ୍ୟପଟେ କେଜ୍ରିଓ୍ବାଲ କଶ୍ମୀରୀ ପଣ୍ଡିତମାନଙ୍କ ପ୍ରସଙ୍ଗରେ ମଧ୍ୟ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, କଶ୍ମୀରରେ କଶ୍ମୀରୀ ପଣ୍ଡିତମାନଙ୍କୁ ଯେଉଁଭଳି ଭାବେ ହତ୍ୟା କରାଯାଉଛି ତାହା ଠିକ ନୁହେଁ। ଗତ ୩୦ବର୍ଷ ମଧ୍ୟରେ କଶ୍ମୀରୀ ପଣ୍ଡିତମାନେ ୨ଥର ସ୍ଥାନାନ୍ତର ହୋଇଛନ୍ତି ଏବଂ ଏହି କାର୍ଯ୍ୟ କେବଳ ଭାଜପା ଶାସନ ସମୟରେ କରାଯାଇଛି। ତେଣୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ କଶ୍ମୀରୀ ପଣ୍ଡିତମାନଙ୍କୁ ସୁରକ୍ଷା ଯୋଗାଇଦିଆଯାଉ ବୋଲି ସେ ସରକାରଙ୍କୁ ନିବେଦନ କରିଛନ୍ତି।

Share