ପିଲା-ବୃଦ୍ଧଙ୍କୁ ସହାୟତା କରିବେ ଏହି ରାଜ୍ୟ ସରକାର

ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ସରକାର ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ ସବୁ ରାଜ୍ୟର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିଛି ଦିନ ଧରି ରାଜଧାନୀ ଦିଲ୍ଲୀରେ କରୋନା ଆତଙ୍କ ଖେଳାଇଥିବା ବେଳେ ଗତ ୨୪ ଘଣ୍ଟାରେ ସାଢ଼େ ୮ହଜାରରୁ କମ୍‌ ମାମଲା ସାମ୍ନାକୁ ଆସିଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। କରୋନା କାଳରେ ଅନେକ ପିଲା ନିଜ ବାପାମା’ଙ୍କୁ ହରାଇଛନ୍ତି। ସେମାନଙ୍କୁ ଚିନ୍ତା ନ କରିବାକୁ କହିବା ସହ ତମ ପାଇଁ ‘ମେ ହୁଁ ନା’ କହିଛନ୍ତି କେଜରିଓ୍ବାଲ। ଏଥିସହ ସେମାନଙ୍କ ପାଇଁ ସେ ଏକ ବଡ଼ ଘୋଷଣା କରିଛନ୍ତି। କରୋନା କାଳରେ ଯେଉଁ ପିଲାମାନେ ଅନାଥ ହୋଇଯାଇଛନ୍ତି ସେମାନଙ୍କ ପ୍ରତିପୋଷଣ ଓ ପାଠପଢ଼ା ଖର୍ଚ୍ଚ ଦିଲ୍ଲୀ ସରକାର ବହନ କରିବେ। ଏତଦ୍‌ ବ୍ୟତୀତ କରୋନାରେ ଯେଉଁ ଗରିବ ବୃଦ୍ଧ ବ୍ୟକ୍ତିଙ୍କ ପୁଅର ଜୀବନ ଚାଲିଯାଇଛି ଏବଂ ଘରେ ରୋଜଗାର କରିବା ପାଇଁ କେହି ନାହାନ୍ତି। ସେଭଳି ପିତାମାତାଙ୍କୁ ଏଏପି ସରକାର ସାହାଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ କହିଛନ୍ତି।

Share