Categories: ଜାତୀୟ

ଅରୁନ୍ଧତୀ ରାୟଙ୍କ ପୁସ୍ତକକୁ ବିରୋଧ

ଚେନ୍ନାଇ,୧୩।୧୧:ଲେଖିକା ଅରୁନ୍ଧତୀ ରାୟଙ୍କ ପୁସ୍ତକ ‘ଓ୍ବାକିଂ ଓ୍ବିଥ୍‌ ଦ କମ୍‌ରେଡ୍ସ’କୁ ତାମିଲନାଡୁ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରୁ ହଟାଇ ଦିଆଯାଇଛି। ଆର୍‌ଏସ୍‌ଏସ୍‌ର ଛାତ୍ର ଶାଖା ଏବିଭିପିର ବିରୋଧ ପରେ ତିରୁନେଲ୍‌ଭେଲି ସ୍ଥିତ ମନୋନ୍‌ମାନିଆମ୍‌ ସୁନ୍ଦରନର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାକୁ ହଟାଯାଇ ପିଜି ଇଂରାଜୀ ପାଠ୍ୟକ୍ରମରେ ଏମ୍‌. କ୍ରିଷ୍ଣନ୍‌ଙ୍କ ‘ମାଇଁ ନେଟିଭ୍‌ ଲ୍ୟାଣ୍ଡ’ ସ୍ଥାନ ପାଇଛି।
ପୁସ୍ତକରେ ମାଓବାଦୀ ଓ ଭାରତ ସରକାରଙ୍କ ସମ୍ପର୍କରେ ଉଲ୍ଲେଖ ଥିଲା। ମାଓବାଦୀ ଆଦର୍ଶକୁ ଏଥିରେ ଅତିରଞ୍ଜିତ କରାଯାଇଥିଲା। ଏହା ଦେଶ ବିରୋଧୀ ବୋଲି ଏବିଭିପି ପକ୍ଷରୁ ଦର୍ଶାଯାଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏପରିକି ଛାତ୍ରୀଛାତ୍ରମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ। ପରେ କୁଳପତି କେ. ପିଚୁମଣିଙ୍କୁ ଦେଖାକରି ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହା ପରେ ଏକ କମିଟି ବସି ଅରୁନ୍ଧତୀଙ୍କ ପୁସ୍ତକ ପାଠ୍ୟକ୍ରମରୁ ହଟାଯିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରକାଶଥାଉ କି, ରାୟଙ୍କ ପୁସ୍ତକ ୨୦୧୧ରେ ପ୍ରକାଶ ପାଇବା ସହ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ୨୦୧୭ରେ ସ୍ଥାନ ପାଇଥିଲା।

Share