Categories: ଖେଳ

୬୬ ବର୍ଷ ବୟସରେ ବିବାହ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କୋଲକତା,୩।୫:ଭାରତର ପୂର୍ବତନ କ୍ରିକେଟର ତଥା ସମୀକ୍ଷକ ଅରୁଣ ଲାଲ ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ କରିଛନ୍ତି। ଅରୁଣ ୩୮ ବର୍ଷୀୟା ବୁଲବୁଲ ସାହାଙ୍କୁ କୋଲକତାରେ ବିବାହ କରିଛନ୍ତି। ଉଭୟଙ୍କ ବୟସରେ ୨୮ ବର୍ଷର ପାର୍ଥକ୍ୟ ଅଛି। ବଙ୍ଗଳା କ୍ରିକେଟ ଆସୋସିଏସନର କିଛି ସଦସ୍ୟଙ୍କ ବ୍ୟତୀତ କେବଳ ଅରୁଣ ଲାଲ ଏବଂ ବୁଲବୁଲର ଘନିଷ୍ଠ ବନ୍ଧୁମାନେ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ।
ଅରୁଣ ଏବଂ ବୁଲବୁଲ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛନ୍ତି। ମାସେ ତଳେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା। ଅରୁଣ ତାଙ୍କର ପ୍ରଥମ ସ୍ତ୍ରୀ ରୀମାଙ୍କୁ ଛାଡପତ୍ର ଦେଇଛନ୍ତି। ରୀମା ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି ଏବଂ ସେ ଏହି ବିବାହ ବିଷୟରେ ଜାଣିଛନ୍ତି। ଅରୁଣଙ୍କ ଦ୍ୱିତୀୟ ବିବାହରେ ରୀମା ବହୁତ ଖୁସି ଅଛନ୍ତି।
କ୍ୟାନ୍‌ସର୍‌କୁ ହରାଇଥିବା ଅରୁଣ ଲାଲଙ୍କ କୋଚିଂରେ ବେଙ୍ଗଲ ଦଳ ୨୦୨୦ରେ ରଣଜୀ ଟ୍ରଫିର ଫାଇନାଲରେ ପ୍ରବେଶ କରିଥିଲା। ଚଳିତ ସିଜନରେ କ୍ରମାଗତ ତିନିଟି ମ୍ୟାଚ ଜିତି କ୍ୱାର୍ଟର ଫାଇନାଲରେ ବେଙ୍ଗଲ ନିଜର ସ୍ଥାନ ସୁରକ୍ଷିତ କରିଛି। ଆଇପିଏଲ ପରେ ରଣଜୀ ଟ୍ରଫିର କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯିବ।
ଅରୁଣ ଲାଲ ଭାରତ ପକ୍ଷରୁ ୧୬ଟି ଟେଷ୍ଟ ମ୍ୟାଚରେ ୭୨୯ ରନ ସଂଗ୍ରହ କରିଥିଲେ। ସେ ୧୩ ଟି ଦିନିକିଆରେ ୧୨୨ ରନ କରିଥିଲେ। ଅରୁଣ ୧୫୬ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୧୦୪୨୧ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ସେ ୩୦ ଶତକ ଏବଂ ୪୩ ଅର୍ଦ୍ଧ ଶତକ ମାରିଥିଲେ।

Share