ଦଣ୍ଡନାଚ ମାଧ୍ୟମରେ ଚାଷୀଙ୍କୁ ସଚେତନ କଲେ କଳାକାର, ସରକାରୀ ଯୋଜନାକୁ ନେଇ…

ଦାରିଙ୍ଗବାଡ଼ି,୨୭ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଇଟିଆଇ ପଡ଼ିଆଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରାଥମିକ ପର୍ଯ୍ୟାୟରେ ପାରମ୍ପରିକ ଦଣ୍ଡ ଚରିତ୍ର ବୀଣାକାର ଏବଂ ମଣିଆର ବାପା ଓ ମା’ ଅଭିନୟ କରୁଥିବା କଳାକାରଙ୍କ ଦ୍ୱାରା ସରକାରୀ ଯୋଜନା ସମ୍ପର୍କରେ ଉପସ୍ଥିତ ଚାଷୀଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ଗୃହ ପାଳିତ ପ୍ରାଣୀଙ୍କ ଯତ୍ନ ଓ ସେବା କରିବା ଏବଂ ଏଥିପାଇଁ ରହିଥିବା ସରକାରଙ୍କ ପକ୍ଷରୁ ଋଣ ବ୍ୟବସ୍ଥା ଓ ରିହାତି ସମ୍ପର୍କରେ କୁହାଯାଇଥିଲା। ଗୋପାଳନ ତଥା ମୁଖ୍ୟମନ୍ତ୍ରୀଙ୍କ କାମଧେନୁ ଯୋଜନାରେ ଗାଈ ଦୁଇଟି ସୁବିଧାରେ ମିଳିବା ଓ ସେଥିରୁ କିଭଳି ରୋଜଗାର ମିଳିବ ସେ ସମ୍ପର୍କରେ ଲୋକନୃତ୍ୟ ଦଣ୍ଡ ନାଚ ମାଧ୍ୟମରେ ସଚେତନ କରାଇଥିଲେ। ସେହିପରି ଘୁଷୁରି, ଛେଳି, କୁକୁଡ଼ା ଓ ମାଛ ଚାଷ ରେ ମଧ୍ୟ ରହିଥିବା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ।

ପ୍ରକାଶ ଯେ, ଉକ୍ତ ମେଳାରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରୀତମ ପ୍ରୀତିମାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ବିଡିଓ ପ୍ରୀତିରଞ୍ଜନ ରଥ, କନ୍ଧମାଳ ଏମ୍‌ପି ଙ୍କମୁଖ୍ୟ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଏମ୍‌ପିଙ୍କ ବିଭାଗୀୟ ପ୍ରତିନିଧି ବିରଞ୍ଚି ନାରାୟଣ ସାହୁ, ସରପଞ୍ଚ ଦୀପକ ପ୍ରଧାନ, ଜି. ଉଦୟଗିରି ବିଧାୟକଙ୍କ ପ୍ରତିନିଧି ପ୍ରମୋଦ କୁମାର ଦିଗାଲ, ସ୍ବତନ୍ତ୍ର ଉନ୍ନୟନ ପରିଷଦ (କନ୍ଧମାଳ)ର ଦାରିଙ୍ଗବାଡ଼ି ପ୍ରତିନିଧି ଜୟ ଚନ୍ଦ୍ର ପଡ୍ରା, ୧୧ ନଂ ଜିଲାପରିଷଦ ସଦସ୍ୟା ଦୀପିକା ମୁଠାମାଝି। ଜିଲା ମୁଖ୍ୟ ମତ୍ସ୍ୟ ଅଧିକାରୀଙ୍କ ପ୍ରତିନିଧି ଭାବେ କୋଟଗଡ଼ ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ସାହୁ ମଞ୍ଚରେ ସଂଯୋଜନା କରିଥିଲେ।

Dharitri – Odisha’s No.1 Odia Daily

Share