ଡିଏନ୍‌ଏକୁ ନଷ୍ଟ କରିପାରେ କୃତ୍ରିମ ମିଠା

ଓ୍ବାଶିଂଟନ୍‌,୮ା୬: ମଧୁମେହ ରୋଗୀମାନେ ଚା’ ଓ ଅନ୍ୟ ଖାଦ୍ୟଗୁଡ଼ିକରେ ଶର୍କରାଯୁକ୍ତ ଚିନି ପରିବର୍ତ୍ତେ କୃତ୍ରିମ ସ୍ବିଟ୍‌ନର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହି କୃତ୍ରିମ ମିଠାରେ ବ୍ୟବହୃତ ରାସାୟନିକ ପଦାର୍ଥ ଡିଏନ୍‌ଏକୁ ନଷ୍ଟ କରିପାରେ ବୋଲି ଆମେରିକୀୟ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି।

ନର୍ଥ କ୍ୟାରୋଲିନା ଷ୍ଟେଟ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ନୂଆ ଅଧ୍ୟୟନରୁ ଜାଣିବାକୁ ପାଇଛନ୍ତି ଯେ, ସର୍ବାଧିକ ଆଦୃତ ଆର୍ଟିଫିସିଆଲ ସ୍ବିଟ୍‌ନର ବ୍ୟବହାରକାରୀଙ୍କ ଡିଏନ୍‌ଏକୁ ନଷ୍ଟ କରି କର୍କଟ ରୋଗର କାରଣ ସାଜିପାରେ। ସ୍ପ୍ଲେଣ୍ଡା ନାମରେ ବଜାରରେ ଉପଲବ୍ଧ କ୍ୟାଲୋରି ଶୂନ୍ୟ ସ୍ବିଟ୍‌ନର ଚିନିଠାରୁ ୬୦୦ ଗୁଣ ଅଧିକ ମିଠା। ଏହାକୁ ପାଉଁରୁଟି, କେକ୍‌, ବେଭେରେଜ୍‌, ଚିଓ୍ବିଙ୍ଗ୍‌ ଗମ୍‌, ଜିଲାଟିନ୍ସ ଓ ଫ୍ରୋଜେନ୍‌ ଡେଏରି ସାମଗ୍ରୀରେ ବ୍ୟବହାର କରାଯାଏ। ଏଥିରେ ଥିବା ରାସାୟନିକ ପଦାର୍ଥ ସୁକ୍ରାଲୋଜ୍‌କୁ ଖାଦ୍ୟ ଓ ପାନୀୟ ସାମଗ୍ରୀ ସମେତ ସାରା ବିଶ୍ୱରେ ଔଷଧ ପ୍ରସ୍ତୁତିରେ ମଧ୍ୟ ଚିନିର ବିକଳ୍ପ ଭାବେ ଉପଯୋଗ କରାଯାଇଥାଏ। କେବଳ ଆମେରିକାରେ ଏହାକୁ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୫୦ ନିୟୁତ।

ମାନବ ଶରୀରକୁ ସୁକ୍ରାଲୋଜ୍‌ ପ୍ରବେଶ କଲେ ସୁକ୍ରାଲୋଜ୍‌-୬ ରୂପେ ଯୌଗିକ ବିଘଟନ ହୋଇଥାଏ, ଫଳରେ ଖାଦ୍ୟନଳୀ ନିମ୍ନଭାଗର ଭିତର ପରସ୍ତ ନଷ୍ଟ ହୋଇଥାଏ ବୋଲି ଗବେଷଣାର ନେତୃତ୍ୱ ନେଉଥିବା ପ୍ରଫେସର ସୁସାନ୍‌ ସ୍କିଫ୍‌ମ୍ୟାନ୍‌ କହିଛନ୍ତି। ସୁକ୍ରାଲୋଜ୍‌ ଆନ୍ତଃ ସ୍ବାସ୍ଥ୍ୟ ପ୍ରତି ନକାରାମତ୍କ ପ୍ରଭାବ ପକାଇଥାଏ ବୋଲି ପୂର୍ବ ଅଧ୍ୟୟନଗୁଡ଼ିକରେ ଜଣାପଡ଼ିଥିଲା। ତେଣୁ ଏହା ଉପରେ ଅଧିକ ତଥ୍ୟ ହାସଲ ପାଇଁ ଆମେ ଉଦ୍ୟମ କରିଥିଲୁ। ପରୀକ୍ଷାନିରୀକ୍ଷାରୁ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଥିଲା। ସୁକ୍ରାଲୋଜ୍‌-୬ର ଦହନଶୀଳ ପ୍ରକ୍ରିୟା ମଣିଷଙ୍କ ଗୁଣସୂତ୍ରକୁ ନଷ୍ଟ କରିବା ସହ କ୍ୟାନ୍‌ସରର କାରକ ପାଲଟିଥାଏ ବୋଲି ପ୍ରଫେସର ସୁସାନ୍‌ କହିଛନ୍ତି। ଜର୍ନାଲ ଅଫ୍‌ ଟେକ୍ସିକୋଲୋଜି ଆଣ୍ଡ୍‌ ଏନ୍‌ଭାଇରୋନ୍‌ମେଣ୍ଟାଲ ହେଲ୍‌ଥରେ ଏହି ଅଧ୍ୟୟନ ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଛି। ଏହା ପୂର୍ବରୁ ଗତ ମେ’ରେ ଓଜନ ହ୍ରାସ ପାଇଁ ସ୍ପ୍ଲେଣ୍ଡା ଭଳି ଆର୍ଟିଫିସିଆଲ ସ୍ବିଟ୍‌ନର ବ୍ୟବହାର ନ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସୁପାରିସ କରିଥିଲା।

Share