ଓ୍ବାଶିଂଟନ,୨୧ା୪: ପୃଥିବୀ ପ୍ରତିବର୍ଷ ଉଜ୍ଜ୍ୱଳ ହେବାରେ ଲାଗିଛି। କୃତ୍ରିମ ଆଲୋକ ଯୋଗୁ ଏପରି ଘଟୁଥିବାରୁ ଏହି ପରିବର୍ତ୍ତନ ସବୁ ଭାଗରେ ସମାନ ରହି ନ ଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ତେବେ ଗବେଷକଙ୍କ ମତରେ ଏହି ଧାରା ମନ୍ଥର ନୁହେଁ। କାରଣ କେତେକ ଅଞ୍ଚଳ ସ୍ବଳ୍ପ ଆଲୋକିତ ହେଉଥିବାବେଳେ ଅନ୍ୟ କେତେକ ଅଞ୍ଚଳରେ ଅଧିକ ଆଲୋକ ଦେଖିବାକୁ ମିଳିଥାଏ।
ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଗବେଷକମାନେ କନେକ୍ଟିକଟ୍ ୟୁନିଭର୍ସିଟିରେ ୯ ବର୍ଷରେ ସଂଗୃହୀତ ୧.୧ ନିୟୁତରୁ ଊର୍ଦ୍ଧ୍ୱ ସାଟେଲାଇଟ୍ ଚିତ୍ର ଉପରେ ଅଧ୍ୟୟନ କରିଥିଲେ। ଉକ୍ତ ଗବେଷଣାରୁ ଜାଣିବାକୁ ପାଇଥିଲେ ଯେ, ପୃଥିବୀ ଉପରେ ୨୦୧୪ରୁ ୨୦୨୨ ମଧ୍ୟରେ କୃତ୍ରିମ ଆଲୋକ ୧୬% ବଢ଼ିଛି। ୨୦୧୭ରେ ମଧ୍ୟ ଏକ ଅଧ୍ୟୟନରୁ ଏଭଳି ନିଷ୍କର୍ଷ ବାହାରିଥିଲା। ଆଲୋକ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ବାହ୍ୟ ଆଲୋକ ୨% ବଢ଼ୁଥିବା ସେଥିରୁ ଜଣାପଡ଼ିଥିଲା।
ତେବେ ନେଚର ଜର୍ନାଲରେ ପ୍ରକାଶିତ ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି ଯେ, ସାମଗ୍ରିକ ଭାବେ ପୃଥିବୀର ଆଲୋକ ବଢ଼ୁଛି। ମୋଟାମୋଟି ଦେଖିଲେ ବିଶ୍ୱର ୩୪% ପରିଧିରେ ଏହି ସନ୍ତୁଳନ
ବଜାୟ ରହୁଥିବାବେଳେ ଅନ୍ୟ ଭାଗରେ ଆଲୋକର ପରିମାଣ ଅସନ୍ତୁଳିତ ରହୁଛି। ବିଶେଷକରି ୟୁରୋପରେ ଏହି ଆଲୋକ ସେତେଟା ଦୃଶ୍ୟମାନ ହେଉନାହିଁ। ଭେନେଜୁଏଲାରେ ମଧ୍ୟ ୨୬%ରୁ ଅଧିକ ରାତ୍ରି ଆଲୋକ ହ୍ରାସ ପାଇଛି। ଦେଶର ଆର୍ଥିକ ସଙ୍କଟ ଯୋଗୁ ଏପରି ହୋଇଥିବା ମନେକରାଯାଉଛି। ଗବେଷକଙ୍କ ମତରେ କୋଭିଡ୍-୧୯ ମହାମାରୀ ଅନେକ ଅଞ୍ଚଳରେ ଲାଇଟିଂ ପାର୍ଟନକୁ ପ୍ରଭାବିତ କରିଥିଲା। ଲକ୍ଡାଉନ୍, ଶିଳ୍ପ ଗତିବିଧି ହ୍ରାସ ପାଇବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ସମାଗମ କମିବା ଯୋଗୁ ଦଶନ୍ଧିର ପ୍ରଥମ କିଛି ବର୍ଷରେ ଆଲୋକର ମାତ୍ରା ମଧ୍ୟ କମିଯାଇଥିଲା।