କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି କୃତ୍ରିମ ବୁଦ୍ଧିମତ୍ତା ସମ୍ପନ୍ନ ଆପ୍‌ ତାଙ୍କ ଶରୀରର ସେହି ଅଂଶରେ ଏକ କଳାଜାଇ ଦେଖାଇଥିଲା, ଯାହା ଅପ୍‌ଲୋଡ ହୋଇଥିବା ଫଟୋରେ ଦେଖାଯାଉ ନ ଥିଲା। ଏହା ଦେଖି ମହିଳା ଜଣକ ବହୁତ ଭୟଭୀତ ହୋଇଗଲେ। ଲୋକମାନେ ଚିନ୍ତା ନ କରି ଏପରି ଆପ୍ସରେ ସେମାନଙ୍କର ଫଟୋ ଅପ୍‌ଲୋଡ ନ କରିବାକୁ ମଧ୍ୟ ସେ ଚେତାବନୀ ଦେଇଥିଲେ । ସେହିପରି ଆଉ ଏକ ଘଟଣା। ଜଣେ ପୁଅ ଗୋଟିଏ ଝିଅକୁ ଏକତରଫା ପସନ୍ଦ କରୁଥିଲା। ଝିଅଟି ପୁଅର ପ୍ରସ୍ତାବରେ ରାଜି ନ ହେବାରୁ ପୁଅଟି ଉତ୍‌କ୍ଷିପ୍ତ ହୋଇ କୃତ୍ରିମ ବୁଦ୍ଧିମତ୍ତା ସାହାଯ୍ୟରେ ନିଜ ଫଟୋ ଏବଂ ସେ ଝିଅର ଫଟୋକୁ ମିଶ୍ରଣ କରି ଏକ ଚୁମ୍ବନ ଭିଡିଓ ତିଆରି କରି ଝିଅଟିର ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ପଠାଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଝିଅଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ତାକୁ ରକ୍ଷା କରାଯାଇପାରିଥିଲା। ଏହା ଏକ ଛୋଟ ଘଟଣା ହେଲେ ବି ଚିନ୍ତାଜନକ। ସାରା ଦେଶରେ ପ୍ରତିଦିନ ଶହ ଶହ ଏପରି ଘଟଣା ଘଟୁଛି, ଯାହା ଯୋଗୁ ଲୋକଙ୍କ ସମ୍ମାନ ଏବଂ ଜୀବନ ହାନିର କାରଣ ହେଉଛି।
ଗତ ସେପ୍ଟେମ୍ବରରେ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବଂ ଅନ୍ୟାନ୍ୟ ଉପାୟରେ ଅନେକ ବ୍ୟକ୍ତି ଏବଂ ପ୍ଲାଟଫର୍ମ ତାଙ୍କର ଫଟୋ ଅପବ୍ୟବହାର କରୁଥିବାରୁ ତାହାକୁ ରୋକିବା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଓକିଲ ଯୁକ୍ତି କରିଥିଲେ ଯେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମ ଏବଂ ମୁହଁ ତାଙ୍କ ଅନୁମତି ବିନା ବ୍ୟବହାର କରାଯାଉଛି ଯଦ୍ଦ୍ବାରା କି ସ୍ଥଳ ବିଶେଷରେ ତାଙ୍କର ସମ୍ମାନ କ୍ଷୁଣ୍ଣ ହେଉଛି। ଏପରି କି ତାଙ୍କ ଛବି ‘ଯୌନ ଇଚ୍ଛା ପୂରଣ କରିବା’ ପାଇଁ ଅନ୍‌ଲାଇନରେ ବ୍ୟବହାର କରାଯାଉଛି, ଯାହାକୁ ସେ ‘ଅତ୍ୟନ୍ତ ଦୁର୍ଭାଗ୍ୟଜନକ’ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ ନାମରେ ଟଙ୍କା ମଧ୍ୟ ଆଦାୟ କରାଯାଉଥିବା ଅଭିଯୋଗ ଆସୁଛି। ଐଶ୍ୱର୍ଯ୍ୟାଙ୍କ ଆବେଦନ ଭାରତର ମନୋରଞ୍ଜନ ଶିଳ୍ପରେ ଡିପଫେକ ଏବଂ ଏଆଇ-ଜେନେରେଟେଡ ବିଷୟବସ୍ତୁ ଦ୍ୱାରା ବଢ଼ୁଥିବା ବିପଦକୁ ଉଜ୍ଜ୍ୱଳ କରିଦେଇଥିଲା। କେବଳ ଐଶ୍ୱର୍ଯ୍ୟା ରାୟ ନୁହନ୍ତି, ଅନେକ ସେଲିବ୍ରିଟି ମଧ୍ୟ ସେମାନଙ୍କ ଫଟୋ ଅପବ୍ୟବହାର ହେଉଥିବା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ପ୍ରକୃତରେ ଏଆଇର ଅପବ୍ୟବହାର କରି ଲୋକଙ୍କୁ ହଇରାଣ କରୁଛନ୍ତି। ଏହା ବ୍ୟକ୍ତି ଗୋପନୀୟତାକୁ ତଥା ମାନବ ଅଧିକାରକୁ ମଧ୍ୟ ଉଲ୍ଲଂଘନ କରୁଛି। ଅନେକଙ୍କ ଜୀବନରେ ସମସ୍ୟା ସୃଷ୍ଟି କରୁଛି। ଏହାର ଅପବ୍ୟବହାର ବିରୋଧରେ କଠୋର ଆଇନ ପ୍ରଣୟନ କରାଯିବା ଉଚିତ, ଯେଉଁଥିରେ କାହାର ଫଟୋ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟକୁ ଅପବ୍ୟବହାର କରିବାରୁ କେହି ରୋକିପାରିବେ ନାହିଁ।
ଆଜି ମାନବାଧିକାର ଆଲୋଚନା ସମୟରେ କ୍ଷୁଧା, ଦାରିଦ୍ର୍ୟ, ଯୁଦ୍ଧ, କୁପୋଷଣ, ଶିଶୁ ଶ୍ରମିକ, ଲିଙ୍ଗ-ଭିତ୍ତିକ ହିଂସା ଏବଂ ସ୍ବାସ୍ଥ୍ୟସେବାର ଅଭାବ ଭଳି ପ୍ରସଙ୍ଗଗୁଡ଼ିକ ସାମ୍‌ନାକୁ ଆସେ। କିନ୍ତୁ ଏହି ପୁରୁଣା ଚ୍ୟାଲେଞ୍ଜ ମଧ୍ୟରେ ଏକ ନୂତନ ଚ୍ୟାଲେଞ୍ଜ ଦେଖାଦେଇଛି ତାହା ହେଲା କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏହି ଚ୍ୟାଲେଞ୍ଜ ଏତେ ବ୍ୟାପକ ଯେ ଏହାର ପ୍ରଭାବ କେବଳ ସାମାଜିକ ଜୀବନ, ଆର୍ଥିକ ବ୍ୟବସ୍ଥା, ଶାସନ ବ୍ୟବସ୍ଥା, ନିଯୁକ୍ତି ଏବଂ ନୈତିକତାକୁ ପରିବର୍ତ୍ତନ କରୁନାହିଁ ବରଂ ମାନବ ଅସ୍ତିତ୍ୱ, ସ୍ବାଧୀନତା ଏବଂ ଗୋପନୀୟତାର ପରିଭାଷାକୁ ପୁନର୍ଗଠନ ମଧ୍ୟ କରୁଛି। କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାର ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପିଗଲାଣି। ନିଷ୍ପତ୍ତି ଗ୍ରହଣ, ଯାହା ଏପର୍ଯ୍ୟନ୍ତ ମାନବ ବିବେକ ହାତରେ ଥିଲା, ତାହା ଧୀରେ ଧୀରେ ମେଶିନ ଆଲଗୋରିଦମକୁ ହସ୍ତାନ୍ତର କରାଯାଉଛି। ନ୍ୟାୟପାଳିକାଠାରୁ ସ୍ବାସ୍ଥ୍ୟ, ଅର୍ଥ, ଶିକ୍ଷା, ସୁରକ୍ଷା, ଗଣମାଧ୍ୟମ ଏବଂ ଚାକିରି ପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତ୍ତା ଉପରେ ଆଧାରିତ ନିଷ୍ପତ୍ତି ମାନବ ଅଧିକାରର ଧାରଣାକୁ ଚ୍ୟାଲେଞ୍ଜ କରୁଥିବା ପରି ମନେହୁଏ। ପ୍ରଶ୍ନ ହେଉଛି: କ’ଣ ଏକ ଆଲଗୋରିଦମ ନିର୍ଣ୍ଣୟ କରିପାରିବ ଯେ କିଏ ଅପରାଧୀ, କିଏ ଚାକିରି ପାଇବ, କାହାକୁ ତଦାରଖ କରାଯିବା ଉଚିତ, କାହାର ପରିଚୟ ସନ୍ଦିଗ୍ଧ କିମ୍ବା କେଉଁ ଧାରଣା ବୈଧ? ଯଦି କୌଣସି ମେଶିନ ଭୁଲ ନିଷ୍ପତ୍ତି ନିଏ ତେବେ କିଏ ଦାୟୀ ରହିବ? ମାନବ ଗୋପନୀୟତା ଏକ ମେଶିନର ସମ୍ପତ୍ତି ହୋଇପାରିବ କି ? ଡିଜିଟାଲ ପରିଚୟ ଆମର ଜୈବିକ ପରିଚୟକୁ ଅତିକ୍ରମ କରିପାରିବ କି ନାହିଁ ଏହି ପ୍ରଶ୍ନ ଅପ୍ରାସଙ୍ଗିକ ମନେ ହେଉଥିଲେ ମଧ୍ୟ ଏହି ଭୟ ଆଜି ଏକ ବାସ୍ତବତା।
ଆଜି, ବିଶ୍ୱର ଅଧିକାଂଶ ଅଂଶ ସ୍ମାର୍ଟଫୋନ, ସୋସିଆଲ ମିଡିଆ ଏବଂ ତଥ୍ୟ-ଚାଳିତ ସିଷ୍ଟମର କବ୍‌ଜାରେ ଅଛି। ଆମର ଆଚରଣ, ଆମର ପସନ୍ଦ, ଆମର ଗୋପନୀୟତା, ଆମର ଦୁର୍ବଳତା ଏବଂ ଆମର ଭବିଷ୍ୟତ ସବୁକିଛି ତଥ୍ୟ ଆକାରରେ ସର୍ଭରରେ ସଂରକ୍ଷିତ। ଏହି ତଥ୍ୟ ହେଉଛି ଆମର ନୂତନ ପରିଚୟ ଏବଂ ଆମର ଏହି ‘ଡିଜିଟାଲ ରୂପ’ ମାନବାଧିକାରର ପରିଭାଷାକୁ ଏକ ନୂତନ ସ୍ତରରେ ପହଞ୍ଚାଇଛି। କୃତ୍ରିମ ବୁଦ୍ଧିମତ୍ତାର ସବୁଠାରୁ ବିପଦପୂର୍ଣ୍ଣ ଦିଗ ହେଉଛି ଏହା ନିଜକୁ ନିରପେକ୍ଷ ବୋଲି ଦାବି କରେ, କିନ୍ତୁ ତଥ୍ୟ ଏବଂ ଆଲଗୋରିଦମ ସମାଜର ପକ୍ଷପାତୀ ମାନସିକତାରୁ ମୁକ୍ତ ନୁହେଁ। ଯଦି ତଥ୍ୟ ପକ୍ଷପାତୀ ହୁଏ, ତେବେ ଏଆଇ ସେହି ପକ୍ଷପାତକୁ ବୈଜ୍ଞାନିକ ସତ୍ୟରେ ପରିଣତ କରିବ । ଏହି ପ୍ରଯୁକ୍ତିବିଦ୍ୟା କେତେକ ସମୟରେ ଶତ୍ରୁ ଶକ୍ତିର ସବୁଠାରୁ ଶକ୍ତିଶାଳୀ ସହଯୋଗୀ ମଧ୍ୟ ହୋଇପାରେ। ଏହା ପ୍ରଯୁକ୍ତିବିଦ୍ୟାର ଏକପ୍ରକାର ଏକଚ୍ଛତ୍ରବାଦ, ଯାହା ପାଇଁ ଅସ୍ତ୍ରଶସ୍ତ୍ର, ଜେଲ, ହତ୍ୟା କିମ୍ବା ଦୋଷ ବିଚାରର ଆବଶ୍ୟକ କରେ ନାହିଁ। କେବଳ ତଥ୍ୟ, ନିରୀକ୍ଷଣ ଏବଂ ଡିଜିଟାଲ ବିଶ୍ଳେଷଣ ଜଣେ ନାଗରିକଙ୍କୁ ତାଙ୍କର ସ୍ବାଧୀନତାରୁ ବଞ୍ଚିତ କରିପାରେ। ଗୋପନୀୟତାର ଅଧିକାର, ଡିଜିଟାଲ ପରିଚୟର ସୁରକ୍ଷା, ଆଲଗୋରିଦମିକ ନିଷ୍ପତ୍ତି ଗ୍ରହଣର ସ୍ବଚ୍ଛତା ଆଦି କୃତ୍ରିମ ବୁଦ୍ଧିମତ୍ତା ତାଲିକାର ଅତ୍ୟାବଶ୍ୟକ ଅଂଶ ହେବା ଆବଶ୍ୟକ। ଯଦି ଆମେ ଏହି ଦିଗରେ ସ୍ପଷ୍ଟ ନୀତି ନ କରୁ, ତେବେ ନିକଟ ଭବିଷ୍ୟତରେ ମଣିଷ ସ୍ବୟଂ-ନିର୍ଣ୍ଣୟ ନେଉଥିବା ପ୍ରାଣୀରୁ କେବଳ ମେଶିନ ଦ୍ୱାରା ନିୟନ୍ତ୍ରିତ ପରିସଂଖ୍ୟାନରେ ପରିଣତ ହୋଇପାରେ।
କୃତ୍ରିମ ବୁଦ୍ଧିମତ୍ତା ମାନବାଧିକାରକୁ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଭାବରେ ପ୍ରଭାବିତ କରିପାରେ। ତେଣୁ ଏହାର ଉପଯୋଗକୁ ସକାରାତ୍ମକ ଢଙ୍ଗରେ ନେବା ପ୍ରାକୃତିକ ବୁଦ୍ଧିସମ୍ପନ୍ନ ମଣିଷର କାର୍ଯ୍ୟ। କୃତ୍ରିମ ବୁଦ୍ଧିମତା ହେଉଛି ବର୍ତ୍ତମାନ ସମୟରେ ଆମର ସହଯୋଗୀ। ଏହାକୁ ବାଦ୍‌ ଦେଇ ଆଗକୁ ବଢିବା ଆଉ ସମ୍ଭବ ନୁହେଁ। କିନ୍ତୁ ଏହା ଯେପରି ନୈତିକ, ଦାୟିତ୍ୱ ସମ୍ପନ୍ନ ଓ ମାନବିକ ଅଧିକାର ଧାରାରେ ଆଗେଇବ ତାହା ହିଁ ଗୁରୁତ୍ୱପୂର୍ଣ୍ଣ।
ମୋ:୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri