Categories: ଜାତୀୟ

ଗ୍ରୀଷ୍ମାବକାଶ ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦର ଶୁଣାଣି

ନୂଆଦିଲ୍ଲୀ,୨୬୪ : ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ ଉପରେ ଶୁଣାଣି ଗ୍ରୀଷ୍ମାବକାଶ ପରେ କରିବାକୁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ନିର୍ବାଚନ ମଣ୍ଡଳୀଗୁଡ଼ିକୁ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଚଳାଇଥିବାରୁ ପିଟିଶନର ଜରୁରୀ ଶୁଣାଣି ଲାଗି ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶେଖର ନାଫାଡେ ନିବେଦନ କରିଥିଲେ। ମାମଲାକୁ ତାଲିକାଭୁକ୍ତ କରିବା ଲାଗି ଉଦ୍ୟମ କରୁଛୁ। ଏଥିପାଇଁ ୫ ଜଣିଆ ପୀଠ ପୁନର୍ଗଠନ କରିବେ ବୋଲି ସିଜେଆଇ କହିଥିଲେ। ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଏକାଧିକ ପିଟିଶନ ପୂର୍ବରୁ ୫ ଜଣିଆ ଖଣ୍ଡପୀଠର ବିଚାରାଧୀନ ରହିଥିବାବେଳେ ଏହାକୁ ୭ ଜଣିଆ ବେଞ୍ଚ୍‌କୁ ପଠାଇବାର ଆବଶ୍ୟକ ନାହିଁ ବୋଲି ୨୦୨୦ ମାର୍ଚ୍ଚରେ ଅଦାଲତ କହିଥିଲେ।

Share