Categories: ଜାତୀୟ

ବେଲଗାଭିରେ ୧୪୪ ଧାରା

ବେଲଗାଭି/ନୂଆଦିଲ୍ଲୀ ,୨୦।୧୨ : ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ସୋମବାର ଉଗ୍ର ରୂପ ଧାରଣ କରିଛି। ମହାରାଷ୍ଟ୍ର ଏକୀକରଣ ସମିତି (ଏମ୍‌ଇଏସ୍‌)ର ସଦସ୍ୟଙ୍କ ସହ ଏନ୍‌ସିପି ନେତାମାନେ ବେଲଗାଭିରେ ପ୍ରବେଶ ଅନୁମତି ଦାବି କରି ବିକ୍ଷୋଭ କରିବା ପରେ ସୀମାନ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। କର୍ନାଟକ ବିଧାନସଭାରେ ବି.ଏସ୍‌. ବୋମାଇ ସରକାରଙ୍କ ଶେଷ ଶୀତ ଅଧିବେଶନ ସୋମବାର ଆରମ୍ଭ ହୋଇଥିବାବେଳେ ଏନ୍‌ସିପି ସମେତ ଶିବସେନା ନେତାମାନେ ବିକ୍ଷୋଭ ଯୋଜନା କରିଥିଲେ। ସୀମାରେ ୩୦୦ରୁ ଊର୍ଦ୍ଧ୍ୱ ଏନ୍‌ସିପି, କଂଗ୍ରେସ ଓ ଶିବସେନା ସଦସ୍ୟ ବେଲଗାଭିରେ ପ୍ରବେଶ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ କର୍ନାଟକ ପୋଲିସ ଅଟକ ରଖି ଫେରାଇ ଦେଇଛି। ସେହିପରି ମହାରାଷ୍ଟ୍ର ପୋଲିସ ମଧ୍ୟ କେତେଜଣଙ୍କୁ ଅଟକ ରଖିଥିଲା। ତିଲକଓ୍ବାଡ଼ିଠାରେ ଏମ୍‌ଇଏସ୍‌ର ବିକ୍ଷୋଭକୁ ରୋକିବା ଲାଗି ବ୍ୟାପକ ପୋଲିସ ମୁତୟନ ହେବା ସହ ବେଲଗାଭିରେ ୧୪୪ ଧାରା ଜାରି ହୋଇଛି।
ମହାରାଷ୍ଟ୍ର ଏକୀକରଣ ସମିତିର ସଦସ୍ୟମାନେ ୫ ଦଶନ୍ଧିର ସୀମା ବିବାଦ ପ୍ରସଙ୍ଗ ଉଠାଇ ଶୀତ ଅଧିବେଶନ ପୂର୍ବରୁ ବଡ଼ ଧରଣର ବିକ୍ଷୋଭ ଯୋଜନା କରିଥିଲେ। ସୀମା ବିବାଦ ପାଇଁ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭାଜନ ନୀତିକୁ ଦାୟୀ କରିଛନ୍ତି। ମୋଦି ମହାରାଷ୍ଟ୍ରକୁ ବିଭାଜିତ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସହ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ବସିବା ସତ୍ତ୍ୱେ ସୀମା ବିବାଦର ସମାଧାନ ହୋଇପାରି ନାହିଁ। ନେତାମାନଙ୍କୁ ବେଲଗାଭି ଛଡ଼ା ନ ଯିବା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ କରୁଛି ବୋଲି କଂଗ୍ରେସ ନେତା କହିଛନ୍ତି। ଏହି ମାମଲା ଉପରେ ସୁପ୍ରିମକୋର୍ଟ ରାୟ ନ ଶୁଣାଇବା ପର୍ଯ୍ୟନ୍ତ ଦୁଇ ରାଜ୍ୟ ସୀମାକୁ ନେଇ ଦାବି ଉଠାଇବେ ନାହିଁ ବୋଲି ଶାହାଙ୍କ ସହ ବୈଠକରେ ଦୁଇ ମୁଖ୍ୟମନ୍ତ୍ରୀ ରାଜି ହୋଇଥିଲେ। ତେବେ ଏହା ମହାରାଷ୍ଟ୍ର ଗର୍ବର ପ୍ରସଙ୍ଗ ହୋଇଥିବା କହି ଏହା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି। ଆମେ ଆମ ଲୋକଙ୍କ ସହ ରହିଛୁ ଏବଂ ସବୁ ଆବଶ୍ୟକତା ଯୋଗାଇ ଦେବୁ ବୋଲି ଶିନ୍ଦେ କହିବା ସହ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌କୁ ବିରୋଧ କରିଛନ୍ତି।
ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ବିଶେଷଜ୍ଞ କମିଟି ମୁଖ୍ୟ ତଥା ମହାରାଷ୍ଟ୍ର ଏମ୍‌ପି ଧୈର୍ଯ୍ୟଶୀଳ ସାମ୍ଭାଜିରାଓ ମାନେ ସୋମବାର ବେଲଗାଭି ଗସ୍ତ କରିବାକୁ ଥିବାବେଳେ ଜିଲା ପ୍ରଶାସନ ତାଙ୍କୁ ବାରଣ କରିଥିଲା। ମହାରାଷ୍ଟ୍ର ଏମ୍‌ପିଙ୍କ ପ୍ରବେଶ ଯୋଗୁ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିପାରେ ବୋଲି ପୋଲିସ ଏଡିଜି ଆଲୋକ କୁମାର କହିଥିଲେ। କର୍ନାଟକ ବିଧାନସଭା ଅଧିବେଶନ ସମୟରେ ବିକ୍ଷୋଭ ପାଇଁ ୬୧ଟି ସଂଗଠନ ଅନୁମତି ଲୋଡ଼ିଥିଲେ। ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ବେଲଗାଭିରେ ୬ ଏସ୍‌ପି, ୧୧ ଏଏସ୍‌ପି, ୪୩ ଡିଏସ୍‌ପିଙ୍କ ସମେତ ୪,୦୦୦ରୁ ଊର୍ଦ୍ଧ୍ୱ ପୋଲିସ ମୁତୟନ ହୋଇଛନ୍ତି।

Share