କଳାସଂସ୍କୃତିରେ କରୋନା କାଳିମା

ଢେଙ୍କାନାଳ ଅଫିସ, ୯।୮: କରୋନା ପାଇଁ କଳାସଂସ୍କୃତିରେ ଲାଗିଛି ଗ୍ରହଣ। ସଞ୍ଜ ନଇଁଲେ ଚିକ୍‌ମିକ୍‌ ଆଲୁଅ ରୋଶଣିରେ ଫାଟି ପଡୁଥିବା ପେଣ୍ଡାଲରେ ରାଜୁତି କରୁଛି ଅସମ୍ଭବ ନୀରବତା ଆଉ ଅନ୍ଧାର। ନିଃଶବ୍ଦ ହୋଇଯାଇଛି ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ। ହତାଶ ହୋଇପଡ଼ିଛନ୍ତି ଶିଳ୍ପୀ। ହାତବାନ୍ଧି ବସିଛନ୍ତି କଳାକାର। ନାଟକ, ସମାରୋହ, ଉତ୍ସବ, ମହୋତ୍ସବ ସବୁକିଛି ଅଟକି ଯାଇଛି। କୋଭିଡ୍‌-୧୯ ସଂକ୍ରମଣ ଭୟ କଳାସଂସ୍କୃତିର ବିକାଶ ଉପରେ ବ୍ରେକ୍‌ ଲଗାଇଥିବାବେଳେ ଏହା ଉପରେ ନିର୍ଭର କରି ଗୁଜରାଣ ମେଣ୍ଟାଉଥିବା କଳାକାର ଦୁର୍ଦ୍ଦିନରେ।
ଲୋକକଳାର ଭଣ୍ଡାର ଢେଙ୍କାନାଳ। କଳାସଂସ୍କୃତିର ବିକାଶରେ ଓଡ଼ିଶା ସମେତ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ଏହି ଜିଲା। ପ୍ରତିକୂଳ ସମୟ ଆସିଛି ଆଉ ଚାଲିଯାଇଛି, ହେଲେ ପାରମ୍ପରିକ କଳାରୁ ମୁହଁ ଫେରାଇ ନେବା ବଦଳରେ ଏହାକୁ ସଂରକ୍ଷିତ କରି ରଖିଛନ୍ତି କଳାକାର ଏବଂ ସାଂସ୍କୃତିକ ଅନୁଷ୍ଠାନ। ଜିଲା ପ୍ରଶାସନର ଉଦ୍ୟମ, କଳାର ପୂଜାରୀଙ୍କ ସହଯୋଗରେ ଏଠାରେ ବର୍ଷତମାମ ନାଟକ, ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ଫଳରେ ବିଂଶଶତାବ୍ଦୀରେ ମଧ୍ୟ ଜିଲାରେ ସୁରକ୍ଷିତ ହୋଇ ରହିଛି ୧୪ ବିଭାଗରେ ପାରମ୍ପରିକ ଲୋକକଳା। ପ୍ରାୟ ୩୦,୦୦୦ କଳାକାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଏହା ଉପରେ ନିର୍ଭରଶୀଳ। ଏହାକୁ ବାଦ୍‌ ଦେଲେ ଅନ୍ୟ ନୃତ୍ୟ, ମଞ୍ଚନାଟକକୁ ୫୦୦ରୁ ଊର୍ଦ୍ଧ୍ୱ କଳାକାର ବୃତ୍ତିଭାବେ ଗ୍ରହଣ କରିଛନ୍ତି। ଜିଲାରେ କଳା ଓ କଳାକାରଙ୍କୁ ପ୍ରୋତ୍ସାହିତ କରିବାକୁ ୨୦୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଅନୁଷ୍ଠାନ ଥିବାବେଳେ ଢେଙ୍କାନାଳ ସହରରେ ଏହିସଂଖ୍ୟା ପାଖାପାଖି ୫୦। ଖାସ୍‌ ଏହି କାରଣରୁ ଲୋକକଳାର ପୃଷ୍ଠପୋଷକ ଲାଗି ଢେଙ୍କାନାଳ ପାଲଟିଛି ଆଦର୍ଶ। ଲୋକକଳାର ସଂରକ୍ଷଣ ପାଇଁ ରାଜ୍ୟସ୍ତରରେ ଜିଲା ୩ ଥର ପୁରସ୍କୃତ ହେବା ଏହାର ଏକ ଉଦାହରଣ। ସେହିପରି ମଞ୍ଚନାଟକରେ ମଧ୍ୟ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି। ବର୍ଷର ବିଭିନ୍ନ ସମୟରେ ପ୍ରତିଯୋଗିତାଭିତ୍ତିକ ନାଟକରେ ରାଜ୍ୟ ତଥା ରାଜ୍ୟ ବାହାରୁ ନାଟ୍ୟଦଳ ନିମନ୍ତ୍ରିତ ହୋଇ ଆସିଥାନ୍ତି। ଏହାଦ୍ୱାରା କଳାର ବିକାଶ ଘଟିବା ସହ ସାଂସ୍କୃତିକ ସମ୍ମିଶ୍ରଣ ହେଉଥିଲା। ସ୍ଥାନୀୟ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ କୁମାରୋତ୍ସବ, ଗୁଡ୍‌ନାଇଟ୍‌ କ୍ଲବ ରଜ ମହୋତ୍ସବ, ଗୋବିନ୍ଦପୁରର ଜିଲାସ୍ତରୀୟ ଦଣ୍ଡ ପ୍ରତିଯୋଗିତା, ନାଟ୍ୟନୁଷ୍ଠାନ ‘କଳା ପରିଷଦ’ର ବହୁଭାଷୀ ଜାତୀୟ ନାଟକ ଉତ୍ସବ, ଆର୍‌ତାର ଅନୁଷ୍ଠାନର ନାଟ୍ୟ କର୍ମଶାଳା ମାଧ୍ୟମରେ କଳା ଓ କଳାକାରଙ୍କୁ ପ୍ରୋତ୍ସାହିତ କରିଥାନ୍ତି। ନଟରାଜ, ନୃତ୍ୟମ୍‌, ନୃତ୍ୟାଙ୍ଗନା, ଶତରୂପା, ମୟୂର, ମାଇକ୍ରୋମିଡିଆ, ତ୍ରିରଙ୍ଗା ସୁପ୍ରଭାତ, ଦେବାଂଶୀ, ଶିବା, ସରଗମ୍‌ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ବର୍ଷତମାମ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହାକୁ ବାଦ୍‌ଦେଲେ ଗଣପର୍ବ ଲକ୍ଷ୍ମୀପୂଜା, କାମାକ୍ଷାନଗର ବ୍ଲକ ଆଳତୁମା ରଜ ମହୋତ୍ସବ, ହିନ୍ଦୋଳର ହରିହାଟ ଉତ୍ସବ, ଭୁବନର ବଳଦ ଯାତ୍ରା, ଓଡ଼ାପଡ଼ା ବ୍ଲକର ନାଧରା ମହୋତ୍ସବ, ଯୋରନ୍ଦା ମାଘମେଳା ମଧ୍ୟ କଳାର ବିକାଶରେ ଅଂଶୀଦାର ପାଲଟିଛି। ହେଲେ ଚଳିତବର୍ଷ କରୋନା କବଳିତ ଜିଲାରେ ପାଖାପାଖି ୫ମାସ ହେଲା ସବୁକିଛି ବନ୍ଦ ହୋଇଯାଇଛି। ବ୍ୟସ୍ତବହୁଳ ଜୀବନରେ ମାନସିକ ଶାନ୍ତି ପାଇଁ ମନୋରଞ୍ଜନ ପ୍ରକୃଷ୍ଠ ମାଧ୍ୟମ ହୋଇଥିବା ବେଳେ ଭୂତାଣୁ ପାଇଁ ଛଟପଟ ହେଉଛନ୍ତି କଳାକାର। ସମସ୍ତଙ୍କ ମୁହଁରେ ଗୋଟିଏ କଥା କରୋନା କେବେ ଯିବ ଆଉ ମୁଖ୍ୟସ୍ରୋତକୁ ଫେରିବ କଳାସଂସ୍କୃତିର ଧାରା। ଏଭଳି ସମୟରେ ଜିଲାର କଳାସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏବଂ ପ୍ରଶାସନିକସ୍ତରରେ ଉଦ୍ୟମ କରାଗଲେ ସମସ୍ୟା ଦୂର ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ମନୋରଞ୍ଜନ ମାଧ୍ୟମ ବନ୍ଦ
କରୋନା ପାଇଁ କଳା ଓ କଳାକାରଙ୍କୁ ନେଇ ଗଢ଼ି ଉଠିଥିବା ସାଂସ୍କୃତିକ ଅନୁଷ୍ଠାନରେ ତାଲା ଝୁଲୁଛି। ମନୋରଞ୍ଜନର ମାଧ୍ୟମ ବନ୍ଦ ହୋଇଯାଇଛି। ପେସାଦାର କଳାକାରଙ୍କ ଚଳିବା ସବୁଠାରୁ ବଡ଼ ସମସ୍ୟା ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ନିର୍ଭରଶୀଳ କଳାକାର, ଗୁରୁ, ଅନୁଷ୍ଠାନ ପାଇଁ କଷ୍ଟକର ସମୟ।
-ଡ. ପୁଷ୍ପଲତା ରଥ
ଆର୍‌ତାର ନାଟ୍ୟ ଅନୁଷ୍ଠାନ ସଭାନେତ୍ରୀ

ଆଶଙ୍କାରେ ସାଂସ୍କୃତିକ ଅନୁଷ୍ଠାନ
କଳାକୁ ପେସା ଭାବେ ଗ୍ରହଣ କରିଥିବା କଳାକାର, ଶିଳ୍ପୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସେମାନେ ଆର୍ଥତ୍କ ଅବସ୍ଥା ସାଂଘାତିକ ହୋଇଗଲାଣି। କଳାକାରମାନେ କିଭଳି ଜୀବନ ଜୀବିକା ବଞ୍ଚାଇବେ, ସେଥି ପାଇଁ ଚିନ୍ତା କରିବାର ବେଳ ଆସିଛି। କଳା ଓ କଳାକାର ହାତବାନ୍ଧି ବସିଲେ ସାଂସ୍କୃତିକ ଅନୁଷ୍ଠାନ ବନ୍ଦ ହୋଇଯିବ।
-ଗୌରୀଶଙ୍କର ଦାଶ
ନୃତ୍ୟଗୁରୁ ଦେବାଂଶୀ ଡ୍ୟାନ୍ସ ଏକାଡେମୀ

ନୃତ୍ୟଶିକ୍ଷା ପ୍ରଭାବିତ ହୋଇଛି
କରୋନା କଟକଣା ଯୋଗୁ ନୃତ୍ୟ ପ୍ରଶିକ୍ଷଣ ଠିକ୍‌ ଭାବେ ହୋଇପାରୁନାହିଁ। ନୃତ୍ୟ ଅନୁଷ୍ଠାନ ବନ୍ଦ ହୋଇଯାଇଥିବାରୁ ଘରେ ଅଭ୍ୟାସ କରିବାକୁ ପଡୁଛି। ବର୍ଷତମାମ ବିଭିନ୍ନ ସ୍ଥାନ ଏବଂ ପ୍ରତିଯୋଗିତାରେ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲୁ। କିନ୍ତୁ କରୋନା କଟକଣା ଯୋଗୁ ସବୁ ବନ୍ଦ ହୋଇଯାଇଛି।
-ସୁଶ୍ରୀ ଶୁଭ୍ରଜ୍ୟୋତି ରାଉତ
ଓଡ଼ିଶୀ ନୃତ୍ୟଶିଳ୍ପୀ

କଳାକାରଙ୍କ ଭବିଷ୍ୟତ ଅନ୍ଧାର
କୋଭିଡ୍‌-୧୯ରେ କଳାକାର ପ୍ରଭାବିତ ହୋଇଛନ୍ତି। ଜିଲାର କଳାକାରମାନେ ଜାତୀୟସ୍ତରରେ ନିଜର ପ୍ରତିଭା ପ୍ରତିପାଦିତ କରିଛନ୍ତି। କଳାକୁ ଜୀବିକା ଭାବେ ଗ୍ରହଣ କରିଥିବା କଳାକାରଙ୍କ ଭବିଷ୍ୟତ ଏବେ ଅନ୍ଧାର। କଳା, ସଂସ୍କୃତିର କୌଣସି ବିକଳ୍ପ ନାହିଁ। ଏହାକୁ ପୁଣି ଥରେ ଉଜ୍ଜୀବିତ କରିବା ଲାଗି ଉଦ୍ୟମ ଜରୁରୀ।
-ଅବନୀ ମିଶ୍ର
ଜିଲା ସଂସ୍କୃତି ପରିଷଦ ସଂଯୋଜକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri