ଏଆରଏସଏସ ରାସ୍ତା କାମରେ ଠକେଇ: ଉଠିଯାଉଛି ପିଚୁ

କୃଷ୍ଣପ୍ରସାଦ,୧୬।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଗଞ୍ଜାମ ଜିଲା ସୀମାଠାରୁ କୃଷ୍ଣପ୍ରସାଦ ଗଡ଼ ଯାଏ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ୨୩ କୋଟି ଟଙ୍କାର କାମ ଅତି ନିମ୍ନମାନର ଚାଲିଥିବା ଅଭିଯୋଗ ହେଉଛି। କାମ ଆରମ୍ଭରୁ ସୂଚନା ଫଳକ ଲଗାଯିବ ନିୟମ ଥିବାବେଳେ ବିନା ସୂଚନା ଫଳକରେ କାମ ଶେଷ କରିବା ପାଇଁ ବସିଛି। ସୂଚନା ଫଳକ ଲାଗି ନ ଥିବା ଯୋଗୁ ଜନସାଧାରଣ ଅଟକଳ ମୂଲ୍ୟ, କାମ ଆରମ୍ଭ, ଅବଧି ଶେଷ, କଣ୍ଟ୍ରାକ୍ଟରର ନାମ ଆଦି କୌଣସି ସୂଚନା ଜାଣିବା ସମ୍ଭବ ହେଉନାହିଁ। ଏନେଇ ସୁପର ଭାଇଜର, ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରେ ସୂଚନା ଫଳକ ଲାଗିବ ନାହିଁ ବୋଲି ରୋକଠୋକ ମନା କରୁଛନ୍ତି।

ସିଆଳ ଗ୍ରାମର ଚିଲିକାରେ ଲୁଣି ପାଣିରେ ସିମେଣ୍ଟ ଗୋଳାଇ ନିମ୍ନମାନର କାର୍ଯ୍ୟ କରିଛନ୍ତି। ପାଣିରେ କଂକ୍ରିଟ କରିବା ଜନସାଧାରଣ ବିରୋଧ କରିବା ପରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଧରି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେହିଭଳି ରାମଲଙ୍କା ଗ୍ରାମ ନିକଟରେ ତିଆରି ହୋଇଥିବା ପିଚୁ ଏତେ ନିମ୍ନମାନର ହୋଇଛି ଯେ, ଯୁବକ ସଂଘ କାମକୁ ବନ୍ଦ କରିଛନ୍ତି। ତିଆରି ହୋଇଥିବା ପିଚୁ ହାତରେ ଧରିଲେ ଉଠିଯାଉଛି। ଯୁବକମାନେ ନିମ୍ନମାନର କାମକୁ ବିରୋଧ କରି ବନ୍ଦ କରିବା ଯୋଗୁ ଏଆରଏସଏସ ପୋଲିସର ସାହାଯ୍ୟ ନେଇ ଧମକାଇ କାମ କରିବାକୁ ଚେଷ୍ଟା ଚଳାଇଥିଲେ। ଗ୍ରାମର ଯୁବକ ନିଜ ଜିଦରେ ଅଟଳ ହେବାରୁ କାମ ବନ୍ଦ କରି ଫେରିଯାଇଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 

Share