ନୂଆଦିଲ୍ଲୀ,୧୧ା୧୧: ଭାରତୀୟ କ୍ରିକେଟ୍ ଟିମ୍ର ଷ୍ଟାର୍ ଫାଷ୍ଟ ବୋଲର୍ ଅର୍ଶଦୀପ ସିଂ ଏବେ ନିଜ ପର୍ସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ଟ୍ରେଡ୍ ଡିଲ୍ ଜରିଆରେ ପଞ୍ଜାବ କିଙ୍ଗ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଥିବା ଅର୍ଶଦୀପ ବୁଧବାର ନିଜ ଗର୍ଲଫ୍ରେଣ୍ଡ ସମରିନ୍ କୌରଙ୍କୁ ଫିଲ୍ମି ଷ୍ଟାଇଲ୍ରେ ପ୍ରପୋଜ୍ କରିଛନ୍ତି। ଏହି ରୋମାଣ୍ଟିକ୍ ମୁହୂର୍ତ୍ତର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।
ଭାଇରାଲ୍ ଫଟୋରେ ଅର୍ଶଦୀପ ଆଣ୍ଠୁମାଡ଼ି ବସି ସମରିନ୍ଙ୍କୁ ପ୍ରପୋଜ୍ କରୁଥିବା ଦେଖିବାକୁ ମିଳିଛି । ସେ ସମରିନ୍ଙ୍କ ଆଙ୍ଗୁଠିରେ ମୁଦି ପିନ୍ଧାଇ ନିଜ ଭଲପାଇବା ପ୍ରକାଶ କରିଛନ୍ତି । ନ୍ୟୁଜିଲାଣ୍ଡରେ ଏହି ସୁନ୍ଦର ମୁହୂର୍ତ୍ତକୁ ସେ ସୃଷ୍ଟି କରିଥିବା ଜଣାପଡ଼ିଛି। ଅର୍ଶଦୀପ ଓ ସମରିନ୍ ଉଭୟେ ଏହି ରୋମାଣ୍ଟିକ୍ ଫଟୋଗୁଡ଼ିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋ ସହ ଦୁହେଁ ଲେଖିଛନ୍ତି, “ଜୀବନ ଆମକୁ ଯାହା କିଛି ଦେଇପାରିଥାନ୍ତା, ସେଥିମଧ୍ୟରୁ ସବୁଠୁ ବଡ଼ ଖୁସି ହେଉଛି ଏହା ଯେ ଆମକୁ ପରସ୍ପରର ସାଥୀ କରିଛି। ଜୀବନସାରାର ଏହି ସାଥି ପାଇଁ ୧୧.୧୧.୨୦୨୬।”
ଅର୍ଶଦୀପ ଓ ସମରିନ୍ ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍ କରୁଥିବା ଜଣାପଡ଼ିଛି। ସମରିନ୍ ଅନେକ ପଞ୍ଜାବୀ ମ୍ୟୁଜିକ୍ ଭିଡିଓରେ ନଜର ଆସିଛନ୍ତି। ତାଙ୍କ ଗ୍ଲାମରସ୍ ଲୁକ୍କୁ ପ୍ରଶଂସକମାନେ ବେଶ୍ ପସନ୍ଦ କରନ୍ତି। ଏହାବ୍ୟତୀତ ସମରିନ୍ ବଲିଉଡ୍ ଫିଲ୍ମ ‘୮୩’ରେ ମଧ୍ୟ ଅଭିନୟ କରିଥିଲେ। ଯଦିଓ ତାଙ୍କ ଭୂମିକା ଛୋଟ ଥିଲା, ତଥାପି ତାହା ମନେ ରହିବା ଭଳି ଥିଲା। ‘ନେଲ୍ ପଲିସ୍’ ଭଳି ୱେବ୍ ଫିଲ୍ମ ଏବଂ ଅନେକ ଲୋକପ୍ରିୟ ପଞ୍ଜାବୀ ଗୀତରେ ମଧ୍ୟ ସେ କାମ କରିଛନ୍ତି। ସେ ମିସ୍ ଇଣ୍ଡିଆ ଜମ୍ମୁ-କଶ୍ମୀର ମଧ୍ୟ ରହିସାରିଛନ୍ତି।
ଅର୍ଶଦୀପ ଓ ସମରିନ୍ଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିବା ପରେ ଉଭୟଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକ ଓ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଉଛନ୍ତି।