ମାତ୍ର ୧୫୭୭ ଦିନରେ ଏମିତି କାରନାମା କଲେ ଅର୍ଶଦୀପ ସିଂହ: ଭାଙ୍ଗିଲେ ୩ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୩୧।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ନିଜ ନାମରେ ଏକାଧିକ ବଡ଼ ରେକର୍ଡ କରିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଣ୍ଟନରଙ୍କ ଉଇିକେଟ ନେବା ସହ ଅର୍ଶଦୀପ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ୧୫୦ ଉଇକେଟ ପୂରଣ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ଏହା ସହ ସେ ଆଉ ୩ଟି ବିଶ୍ୱ ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି।
ଅର୍ଶଦୀପ ଅନ୍ତର୍ଜାତୀୟ ଟି-୨୦ରେ ୧୫୦ ଉଇକେଟ ନେବାରେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି। ତାଙ୍କ ପଛକୁ ଏହି ତାଲିକାରେ ଜସପ୍ରୀତ ବୁମ୍‌ରା ରହିଛନ୍ତି। ବୁମ୍‌ରାଙ୍କ ନାମରେ ୧୨୬ଟି ଉଇକେଟ ରହିଛି। ଏହି ଉପଲବ୍ଧି ଅର୍ଶଦୀପଙ୍କୁ ଭାରତୀୟ ଟି-୨୦ କ୍ରିକେଟ୍‌ର ଅନ୍ୟତମ ସଫଳ ବୋଲର ଭାବେ ପ୍ରତିଷ୍ଠିତ କରିଛି।
ଅର୍ଶଦୀପ ଆଉ ଏକ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଅନ୍ତର୍ଜାତୀୟ ଟି-୨୦ ଉଇକେଟ ନେବାରେ ସେ ଏବେ ଶୀର୍ଷରେ ରହିଛନ୍ତି। ଚଳିତ ବର୍ଷ ତାଙ୍କ ନାମରେ ମୋଟ ୪୦ଟି ଉଇକେଟ ଯୋଡ଼ି ହୋଇଛି। ଏହା ପୂର୍ବରୁ ୨୦୨୨ରେ ଜୋଶ ଲିଟିଲ ୩୯ଟି ଉଇକେଟ ନେଇ ଏହି ରେକର୍ଡ କରିଥିଲେ।

୧୫୦ଟି ଅନ୍ତର୍ଜାତୀୟ ଟି-୨୦ ଉଇକେଟ ନେବା ପାଇଁ ଅର୍ଶଦୀପ ମାତ୍ର ୨୧୪୩ଟି ବଲ ବୋଲିଂ କରିଛନ୍ତି। ଏହା ସହ ସେ ସବୁଠାରୁ କମ ବଲ୍‌ରେ ୧୫୦ ଉଇକେଟ ନେଇଥିବା ଦ୍ରୁତ ବୋଲର ହୋଇଛନ୍ତି। ଏହି ମାମଲାରେ ସେ ବାଂଲାଦେଶର ମୁସ୍ତାଫିଜୁର ରହମାନଙ୍କୁ ପଛରେ ପକାଇଛନ୍ତି। ମୁସ୍ତାଫିଜୁର ୨୫୩୨ଟି ବଲ୍‌ରେ ଏହି ସଫଳତା ହାସଲ କରିଥିଲେ।
ଅର୍ଶଦୀପଙ୍କ ନାମରେ ଆଉ ଏକ ବିଶ୍ୱ ରେକର୍ଡ ଯୋଡ଼ି ହୋଇଛି। ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିବାର ମାତ୍ର ୧୫୭୭ ଦିନ ମଧ୍ୟରେ ସେ ୧୫୦ ଉଇକେଟ ପୂରଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗାଙ୍କ ନାମରେ ଏହି ରେକର୍ଡ ଥିଲା। ସେ ୨୩୨୫ ଦିନରେ ୧୫୦ ଉଇକେଟ ପୂରଣ କରିଥିଲେ।

 

Dharitri – Odisha’s No.1 Odia Daily

 

Share