Categories: ଖେଳ

ଇମର୍ଜିଂ ପ୍ଲେୟର ଦୌଡ଼ରେ ଅର୍ଶଦୀପ, ରେଣୁକା, ୟସ୍ତିକା

ଦୁବାଇ,୨୯ା୧୨(ପି.ଟି): ଆଇସିସି ଉଦୀୟମାନ ଖେଳାଳି (ଇମର୍ଜିଂ ପ୍ଲେୟର) ଦୌଡରେ ସାମିଲ ହୋଇଛନ୍ତି ଭାରତର ଅର୍ଶଦୀପ ସିଂ, ରେଣୁକା ସିଂ ଓ ୟସ୍ତିକା ଭାଟିଆ। ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ୍‌, ନ୍ୟୁଜିଲାଣ୍ଡର ଫିନ୍‌ ଆଲେଡ୍‌ ଏବଂ ଆଫଗାନିସ୍ତାନର ଇବ୍ରାହିମ୍‌ ଜାଦ୍ରାନଙ୍କ ସହିତ ସେ ବୁଧବାର ଏହି ଦୌଡରେ ସାମିଲ ହୋଇଛନ୍ତି। ଜାନୁୟାରୀ ମାସ ଠାରୁ ଇମର୍ଜିଂ ପ୍ଲେୟର ପାଇଁ ଭୋଟିଂ ଆରମ୍ଭ ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ଅନ୍ତର୍ଜାତୀୟ ପଦାର୍ପଣର ୬ ମାସ ମଧ୍ୟରେ ଅର୍ଶଦୀପ ଏହି ଦୌଡରେ ସାମିଲ ହୋଇଛନ୍ତି। ଚମତ୍କାର ଆଇପିଏଲ ପ୍ରଦର୍ଶନ ପରେ ତାଙ୍କୁ ଭାରତୀୟ ଦଳକୁ ଡାକରା ମିଳିଥିବା ବେଳେ ୧୮.୧୨ ହାରରେ ସେ୨୧ ମ୍ୟାଚରୁ ୩୩ ଉଇକେଟ ଅକ୍ତିଆର କରିଛନ୍ତି। ଉଭୟ ନୂଆ ଏବଂ ପୁରୁଣା ବଲରେ ଉଇକେଟ ନେବାରେ ସେ ସିଦ୍ଧହସ୍ତ। ୨୩ ବର୍ଷୀୟ ଅର୍ଶଦୀପ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦିନିକିଆ ପଦାର୍ପଣ କରିଥିଲେ। ୬ ମାସର ଛୋଟ କ୍ୟାରିୟର ମଧ୍ୟରେ ସେ ସମସ୍ତଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛନ୍ତି। ଏହା ମଧ୍ୟରେ ସେ ଅନେକ ସ୍ମରଣୀୟ ପ୍ରଦର୍ଶନ ମଧ୍ୟ କରିଛନ୍ତି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷ ପ୍ରଦର୍ଶନ ଏହାର ଏକ ଉଦାହରଣ। ଏହି ମ୍ୟାଚରେ ସେ ପ୍ରଥମ ବଲରେ ବାବର ଆଜମ୍‌ ଓ ପରବର୍ତ୍ତୀ ଓଭରରେ ମହମ୍ମଦ ରିଜଓ୍ବାନଙ୍କ ଉଇକେଟ ହାସଲ କରିବା ସହିତ ୩୨ ରନରେ ୩ ଉଇକେଟ ଅକ୍ତିଆର କରିବା ସହିତ ଇମର୍ଜିଂ ପ୍ଲେୟାର ଦାବିଦାରକୁ ଦୃଢ କରିଥିଲେ। ମହିଳା ବର୍ଗରେ ଭାରତ ପକ୍ଷରୁ ୟସ୍ତିକା ଭାଟିଆ ଓ ରେଣୁକା ସିଂଙ୍କୁ ଇମର୍ଜିଂ ପ୍ଲେୟର ଭାବରେ ଚୟନ କରାଯାଇଛି। ଏହି ତାଲିକାରେ ଅଷ୍ଟ୍ରେଲିଆର ଡାର୍ସି ବ୍ରାଉନ ଓ ଇଂଲଣ୍ଡର ଆଲିସ୍‌ କାପ୍‌ସେ ରହିଛନ୍ତି। ରେଣୁକା ୨୯ ମ୍ୟାଚରୁ ୪୦ ଉଇକେଟ ଅକ୍ତିଆର କରିଛନ୍ତି। ରାଜ୍ୟଗୋଷ୍ଠୀ ଓ ଏସିଆ କପ୍‌ରୁ ସେ ମିଳିତ ଭାବରେ ୧୭ ଉଇକେଟ ମଧ୍ୟ ନେଇଥିଲେ। ୨୨ ବର୍ଷୀୟ ୟସ୍ତିକା ବିଶ୍ୱକପ୍‌ରେ ପଦାର୍ପଣ କରିଥିବା ବେଳେ ଦୁଇଟି ମ୍ୟାଚରେ ଯଥାକ୍ରମେ ୪୧ ଓ ୩୧ ରନ୍‌ କରିଥିଲେ। ସେ ଦିନିକିଆରେ ୩୭୬ ରନ୍‌ କରିଥିବା ବେଳେ ତାଙ୍କର ଆଭରେଜ୍‌ ୨୫.୦୯ ଓ ଷ୍ଟ୍ରାଇକ୍‌ ରେଟ୍‌ ୭୩.୨୯ ରହିଛି।

Share