ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ପାଇଁ ଏମିତି କାମ କଲେ ଅର୍ଶଦୀପ: ଖୋଲି କହିଲେ ମନର କଥା

ଅକଲାଣ୍ଡ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବୋଲର ଅର୍ଶଦୀପ ସିଂହଙ୍କ ପ୍ରଦର୍ଶନ ବେଶ ପ୍ରଭାବଶାଳୀ ରହିଥିଲା। ସେ ୧୦ ଓଭର ବୋଲିଂ କରି ୭୦ ରନ ବ୍ୟୟରେ ୪ଟି ଉଇକେଟ ହାସଲ କରିଥିଲେ। ମ୍ୟାଚ୍‌ରେ ସଫଳତା ପରେ ତାଙ୍କର ଏକ ନିଆରା ସେଲିବ୍ରେଶନ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ସେଲିବ୍ରେଶନ ପଛର କାହାଣୀ ନିଜେ ଅର୍ଶଦୀପ ମ୍ୟାଚ ପରେ ପ୍ରକାଶ କରିଛନ୍ତି।

ଅର୍ଶଦୀପ କହିଛନ୍ତି, ଏହି ଖାସ ସେଲିବ୍ରେସନ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ପାଇଁ ଥିଲା। ଦୁହେଁ ବୁଲିବାକୁ ଯିବା ସମୟରେ କିମ୍ବା ବାହାରେ ସମୟ କାଟିବା ବେଳେ ପ୍ରାୟତଃ ଏଭଳି ଡ୍ୟାନ୍ସ ଷ୍ଟେପ କରିଥାନ୍ତି। ଯେତେବେଳେ ଦୁହିଁଙ୍କ ମନ ଟିକେ ଖରାପ ଥାଏ, ସେତେବେଳେ ଏହି ଡ୍ୟାନ୍ସ ମାଧ୍ୟମରେ ପରସ୍ପରର ମନୋବଳ ବଢ଼ାଇଥାନ୍ତି।
ମ୍ୟାଚ ପରେ ତାଙ୍କର ସବୁଠାରୁ ପସନ୍ଦର ଉଇକେଟ କେଉଁଟା ବୋଲି ପଚରାଯିବାରୁ ଅର୍ଶଦୀପ ମଜାଳିଆ ଢଙ୍ଗରେ କହିଥିଲେ, ମୋର ପସନ୍ଦର ଉଇକେଟ ହେଉଛି ପଞ୍ଚମ ଉଇକେଟ, ଯାହା ଆଜି ମିଳିଲା ନାହିଁ। ତେଣୁ ମୁଁ ଏବେ ବି ମୋର ପସନ୍ଦର ଉଇକେଟ ଖୋଜୁଛି।
ମ୍ୟାଚ୍‌ରେ ସର୍ଟ ବଲ ବ୍ୟବହାର କରି ଅର୍ଶଦୀପ ବେଶ ସଫଳ ହୋଇଥିଲେ। ଏନେଇ ସେ କହିଛନ୍ତି, ଏହି ପିଚ୍‌ରୁ ବୋଲରଙ୍କୁ କିଛି ସହାୟତା ମିଳୁଥିଲା। ତେଣୁ ସିମ ଉପରେ ଜୋର୍‌ ଦେଇ ବୋଲିଂ କରିବା ସହ ପିଚ୍‌ରୁ ଅଧିକ ବାଉନ୍ସ ହାସଲ କରିବାକୁ ଚେଷ୍ଟା କରୁଥିଲେ। ବ୍ୟାଟରମାନେ ମଧ୍ୟ ସେହି ବଲ୍‌ରେ ସଟ ଖେଳିବାକୁ ଚେଷ୍ଟା କରିବାରୁ ଭାରତକୁ ସଫଳତା ମିଳିଥିଲା।

ଇଡେନ ପାର୍କରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୪୦.୨ ଓଭରରେ ୧୮୫ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ ଆଗରେ ୧୮୬ ରନ୍‌ରେ ବିଜୟ ଲକ୍ଷ୍ୟ ରହିଛି।

 

Dharitri – Odisha’s No.1 Odia Daily

 

Share