ଆନ୍ଦୋଳନକାରୀଙ୍କୁ ଉଠାଇ ନେଲା ପୋଲିସ

ଝାରସୁଗୁଡ଼ା ଅଫିସ,୨୮।୩: ୧୨ ଦଫା ଦାବିନେଇ ଅଖିଳ ଭାରତ ଟ୍ରେଡ ୟୁନିୟନ ଦେଶବ୍ୟାପି ୨ ଦିନିଆ ବନ୍ଦ ଡାକରା ଦେଇଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ଜିଲାରେ ଟ୍ରେଡ ୟୁନିୟନ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିବା ସହ ଧାରଣା ଦିଆଯାଇଥିଲା।

ଏପରିକି ଆନ୍ଦୋଳନକାରୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ କେନ୍ଦ୍ର ଭାଜପା ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହ ଝାରସୁଗୁଡ଼ା-ରାଉରକେଲା ରାସ୍ତା ଅବରୋଧ କରିଥିଲେ । ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ଖବରପାଇ ପୋଲିସ ପହଞ୍ଚି ଆନ୍ଦୋଳନ ସ୍ଥଳରୁ ଶତାଧିକ ମହିଳା ଓ ପୁରୁଷ ଆନ୍ଦୋଳନକାରୀଙ୍କୁ ଗିରଫ କରି ଉଠାଇ ନେଇଛି। ଗିରଫ ଆନ୍ଦୋଳନକାରୀଙ୍କ ମଧ୍ୟରେ ସାରଙ୍ଗଧର ମିଶ୍ର, ସୁରେନ୍ଦ୍ର ସାହୁ, ପ୍ରଶାନ୍ତ ପଟେଲ, ମହେନ୍ଦ୍ର ନାୟକ, ଗୌରି ଶଙ୍କର ପାତ୍ର, ବାସୁଦେବ ଧୁରୁଆ, ମହେନ୍ଦ୍ର ମିଶ୍ର, ଅଜିତ ରଥ, ରବି ପଟେଲ, ସୁନିଲ ସିଂହ ପ୍ରମୁଖ ରହିଛନ୍ତି।

ଆନ୍ଦୋଳନରେ ଏଆଇଟିୟୁସି, ଆଇଏନଟିୟୁସି, ସିଆଇଟିୟୁ, ଜିଲା କୃଷକ ସଙ୍ଗଠନ, ଘରେଇ ବସ୍‌ କର୍ମଚାରୀ ସଂଘ, ପଶ୍ଚିମାଞ୍ଚଳ ଏକତା ମଞ୍ଚ, ଓରିଏଣ୍ଟ ପେପର ମିଲ୍ସ କର୍ମଚାରୀ ସଂଘ, ସମ୍ମିଳିତ ଆଦିବାସୀ ସମାଜ, ଆମ୍‌ ଆଦମୀ ପାର୍ଟି ଆଦି ସଙ୍ଗଠନ ସାମିଲ ହୋଇଥିବା ଜଣାପଡିଛି। ବନ୍ଦରେ ଦୋକାନ ବଜାର, ଗାଡିମଟର ଆଦି ଚଳାଚଳ ସ୍ବାଭାବିକ ରହଛି।