Categories: ଜାତୀୟ

ମାତ୍ର ୨୨ ବର୍ଷର ଝିଅକୁ ଡରିଗଲେ ସରକାର: ପ୍ରିୟଙ୍କା

ନୂଆଦିଲ୍ଲୀ,୧୫ ।୨: ପୋଲିସ ଟୁଲକିଟ ମାମଲାରେ ୨୨ ବର୍ଷିୟା ସାମାଜିକ କର୍ମୀ ଦିଶା ରବିଙ୍କୁ ଗିରଫ କରିଛି । ଏବେ ଏହାକୁ କୃଷକ ଓ କଂଗ୍ରେସ ନେତାମାନେ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି । କଂଗ୍ରେସ ମହାସଚିବ ପିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଜଣେ ଅସ୍ତ୍ରବିହିନ ଝିଅକୁ ସରକାର ଡରି ଯାଇଛନ୍ତି । ରାହୁଲ ଗାନ୍ଧୀ, ଶଶି ଥରୁର ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଦିଶାଙ୍କ ଗିରଫକୁ ନିନ୍ଦା କରିଛନ୍ତି । ଏହାର ଉତ୍ତରରେ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ପିସି ମୋହନ କହିଛନ୍ତି ବୁରହାନ ୱାନି ବି ୨୧ ବର୍ଷର ଥିଲା, ଅଜମଲ କଶାବ ବି ୨୧ ବର୍ଷର ଥିଲା । ବୟସ କେବଳ ଏକ ସଂଖ୍ୟା । ଏହାସହ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ଭାଣିଜୀ ମିନା ହ୍ୟାରିସ ସୋସିଆଲ ମିଡିଆରେ ଲେଖିଛନ୍ତି ସରକାର କାହିଁକି କର୍ମୀଙ୍କୁ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କୃଷକଙ୍କୁ ସମର୍ଥନ କରୁଥିବା ଟୁଲକିଟ ଭାରତ ସୀମାରେ ଚାଇନା ଅନୁପ୍ରବେଶଠାରୁ କ’ଣ ଭୟଙ୍କର । ସୂଚନାଯୋଗ୍ୟ, ପୋଲିସ ଦିଶାଙ୍କୁ ଗ୍ରେଟ ଥନବର୍ଗ ଦ୍ୱାରା କୃଷକ ଆନ୍ଦୋଳନ ସମର୍ଥନରେ ଶେୟାର କରାଯାଇଥିବା ଟୁଲକିଟ ମାମଲାରେ ରବିବାର ଗିରଫ କରିଛି । ଗ୍ରେଟା କିଛିଦିନ ତଳେ ପ୍ରଥମେ ତାଙ୍କ ଟୁଇଟ୍ ସହ ଏକ ଟୁଲକିଟ ଶେୟାର କରିଥିଲେ । ହେଲେ ପରେ ସେ ଏହାକୁ ଡିଲିଟ କରି ଦେଇଥିଲେ ।

Share