ସୋସିଆଲ ମିଡିଆରେ କଙ୍ଗନାଙ୍କ ଗିରଫ ଦାବି !

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ ଏବେ ଖୁବ୍‌ ଚର୍ଚ୍ଚାରେ। ବିଶେଷ କରି ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଚର୍ଚ୍ଚାରେ ରହୁଛନ୍ତି ଏହି ଅଭିନେତ୍ରୀ। ସୁଶାନ୍ତଙ୍କ ମୃତ୍ୟୁକୁ ମୁମ୍ବାଇ ପୋଲିସ ଆତ୍ମହତ୍ୟା କହୁଥିବା ବେଳେ କଙ୍ଗନା କିନ୍ତୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହୁଛନ୍ତି। ଏହାସହ ବଲିଉଡ୍‌ରେ ଚାଲିଥିବା ପ୍ରୀୟାପ୍ରୀତି ପୋଷଣ କଥା ମଧ୍ୟ ଉଠାଇଛନ୍ତି କଙ୍ଗନା। ଏହାକୁ ନେଇ ସେ ନିର୍ଦ୍ଦେଶକ କରନ ଜୋହରଙ୍କ ସମେତ କେତେଜଣ ଷ୍ଟାରକିଡ୍ସଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। କିନ୍ତୁ କିଛିଦିନ ତଳେ ସୁଶାନ୍ତଙ୍କ ହତ୍ୟା ଘଟଣାକୁ ନେଇ ତାଙ୍କ ପିତା ଯେଉଁ ଏଫ୍‌ଆଇଆର୍‌ ଦେଇଥିଲେ ତାହା ସମ୍ପୂର୍ଣ୍ଣ ଘଟଣାକୁ ଭିନ୍ନ ମୋଡ ଦେଇଥିଲା। ଏଥିରେ ସେ ରିୟା ଚର୍କବର୍ତ୍ତିଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରିଥିବା କୁହାଯାଏ। ଅନ୍ୟପଟେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଏପଟେ ଟୁଇଟରରେ ଏବେ ‘ଆରେଷ୍ଟ କଙ୍ଗନା ରାନାଓ୍ବତ’ ବୋଲି ଟ୍ରେଣ୍ଡ ହେବାରେ ଲାଗିଛି। ଆଉ ଏହାର ଜବାବ ରଖିଛନ୍ତି କଙ୍ଗନାଙ୍କ ଡିଜିଟାଲ ଟିମ୍‌। ସେମାନେ କହିଛନ୍ତି, ଯଦି ସାହସ ଅଛି ତେବେ କଙ୍ଗନାଙ୍କୁ ଗିରଫ କରାଯାଉ। ଏହାପରେ ମୁଭି ମାଫିଆଙ୍କୁ ପଦାକୁ ଆଣିବା ଆହୁରି ସହଜ ହୋଇଯିବ। ଏହାସହ ଆହୁରି ମଧ୍ୟ ଅଭିଯୋଗ କରାଯାଇଛି କି ବଲିଉଡ୍‌ ନେପୋଟିଜିମ୍‌ ଟିମ୍‌ ଦ୍ୱାରା ‘ଆରେଷ୍ଟ କଙ୍ଗନା’କୁ ଟ୍ରେଣ୍ଡ କରାଯାଉଛି। ହେଲେ ଏହାକୁ ନେଇ କଙ୍ଗନା ଆଦୌ ବିଚଳିତ ନୁହେଁ ବରଂ ଏଭଳି ପ୍ରଥାକୁ ସେ ମୂଳପୋଛ କରିବାକୁ ଶେଷ ପର୍ଯ୍ୟନ୍ତ ଲଢେଇ କରିବେ। କଙ୍ଗନା ମଧ୍ୟ କହିଛନ୍ତି ଯଦି ତାଙ୍କୁ ଆରେଷ୍ଟ କରାଯାଏ ତେବେ ସତ କ’ଣ ସାମ୍ନାକୁ ଆସିବ। ଯଦି ସେ ମିଛ କହୁଛନ୍ତି ତେବେ ସେ ଇଣ୍ଡଷ୍ଟ୍ରି ଛାଡିଦେବେ।

Share