Categories: ଜାତୀୟ

ପୁଞ୍ଛ-ଜମ୍ମୁରେ ସେନା ଗାଡ଼ିରେ ନିଆଁ ଲାଗିବା ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଶ୍ରୀନଗର,୨୦।୪: ଜମ୍ମୁ-କଶ୍ମୀରର ପୁଞ୍ଛରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି। ପୁଞ୍ଛ-ଜମ୍ମୁ ନ୍ୟାସନାଲ ହାଇଓ୍ବେରେ ସେନା ଟ୍ରକରେ ଭୟଙ୍କର ନିଆଁ ଲାଗିବା ଘଟଣାରେ ୫ଜଣ ଯବାନ ଶହୀଦ ହୋଇଛନ୍ତି। ଆହତଙ୍କୁ ରାଜୌରୀର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ଭାଟାଦୁଡ଼ିଆ ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଯେତେବେଳେ ସେନା ଗାଡି ଭୀମବେରଗାଲିରୁ ରାଜୌରୀ ସେକ୍ଟରର ପୁଞ୍ଚର ସଂଗୀଅତକୁ ଯାଉଥିବା ବେଳେ ଆତଙ୍କବାଦୀମାନେ ଗୁଳି ଚଳାଇବା ସହ ଗ୍ରେନେଡ ଆକ୍ରମଣା କରିଥିଲେ। ଫଳରେ ଟ୍ରକରେ ନିଆଁ ଲାଗି ଏହି ଦୁର୍ଘଟଣା ଘଟିଥିଲା। ଅନ୍ୟପଟେ ଘଟଣାର ଅନୁସନ୍ଧାନ ପାଇଁ ସେନାର ଏକ ଟିମ୍‌କୁ ପଠାଯାଇଛି ଏବଂ ବରିଷ୍ଠ ସେନା ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହି ଘଟଣା ଘଟିଥିବା ପାହାଡ଼ିଆ ଅଞ୍ଚଳରେ ବର୍ତ୍ତମାନ ପ୍ରବଳ ବର୍ଷା ହେଉଥିବାରୁ ତଦନ୍ତରେ ବାଧା ଉପୁଜିଛି। ଅନ୍ୟପଟେ ଉକ୍ତ ଅଞ୍ଚଳରେ ସେନା ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି। ଏନେଇ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ସୂଚନା ଦେଇଛନ୍ତି। ଏଥିରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି। ଏହି ଦୁଃଖଦ ଘଟଣାରେ ସେ ଦୁଃଖିତ ବୋଲି ଟୁଇଟ କରି ଜଣାଇଛନ୍ତି। ଏହି ସମୟରେ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି।

Share