ବରଫ ଅତଡ଼ା ଖସି ସେନା କର୍ମଚାରୀ ମୃତ

ପାଟକୁରା,୨।୭(ରବୀନ୍ଦ୍ରନାଥ ବାରିକ)ଲଦାଖରେ ବରଫ ଅତଡା଼ ଧସିବାରୁ ଶହୀଦ ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲା ପାଟକୁରା ଅଞ୍ଚଳର ଦେବୀ ପ୍ରସନ୍ନ ସୂତାର। ସେ ଭାରତୀୟ ସୈନ୍ୟବାହିନୀରେ ସିଭିଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୦ଟା ସମୟରେ ସେ ଲଦାଖ ଅଞ୍ଚଳରେ ଏକ ସଡ଼କ କାର୍ଯ୍ୟ ତଦାରଖ କରୁଥିବା ବେଳେ ତାଙ୍କ ଉପରେ ବରଫ ଅତଡା଼ ଖସିପଡିଥିଲା। ଏହି ଅଘଟଣର କିଛି ସମୟ ପୂର୍ବରୁ ସେ ତାଙ୍କ ବଡ଼ ଭାଇ ଉମେଶଙ୍କୁ ଫୋନ କରି ଭଲମନ୍ଦ ପଚାରି ବୁଝିଥିଲେ। ଉମେଶ ବି ଲଦାଖ ଥଣ୍ଡା ଅଞ୍ଚଳ ହେତୁ ଛୋଟ ପୁଅର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ସେଠାରେ ଏବେ କ’ଣ କରୁଛୁ ବୋଲି ପଚାରିବାରୁ ସେ କାର୍ଯ୍ୟସ୍ଥଳରେ ଅଛନ୍ତି ବୋଲି କହିଥିଲେ। ଏହାର ଘଣ୍ଟାଏ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ବୁଧବାର ଦେବୀ ପ୍ରସନ୍ନଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାମୟୀ ଓ ୩ ବର୍ଷର ପୁତ୍ର କେନ୍ଦ୍ରାପଡ଼ାରୁ ଲଦାଖ ଯାଇ ତାଙ୍କ ପାଖରେ ପହଞ୍ଚିଥିଲେ। ଗରଦପୁର ବ୍ଲକ ଅଧୀନ ପାଟକୁରା ଗ୍ରାମ ପଞ୍ଚାୟତର ଜଗଦଳପୁର ଗ୍ରାମରେ ଦେବୀ ପ୍ରସନ୍ନଙ୍କ ଜନ୍ମ। ପାଟକୁରା ଅଞ୍ଚଳର ଜଣାଶୁଣା ଶିକ୍ଷକ ସ୍ବର୍ଗତ ନାରାୟଣ ସୂତାରଙ୍କ ସେ ସାନ ପୁଅ। ଦେବୀ ପ୍ରସନ୍ନଙ୍କ ଶହୀଦ ଖବର ଜଣାପଡିବା ପରେ ପାଟକୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦେବୀ ପ୍ରସନ୍ନଙ୍କୁ ଜନ୍ମ ମାଟିରେ ଶେଷ ସମ୍ମାନ ଜଣାଇବା ପାଇଁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।