ସେନା କର୍ମଚାରୀ କହି ୧.୮୦ ଲକ୍ଷ ଠକେଇ

ସାକ୍ଷୀଗୋପାଳ,୨୧।୫(ଡି.ଏନ୍‌.ଏ.): ନିଜକୁ ସେନା କର୍ମଚାରୀ ପରିଚୟ ଦେଇ ପୁରୀ ଜିଲା ସାକ୍ଷୀଗୋପାଳ ବଜାରରେ ଏକ ଜନ ସେବା କେନ୍ଦ୍ରରେ ବ୍ୟାଙ୍କ ଚେକ୍‌ ଦେଇ କେନ୍ଦ୍ର ଅପରେଟରଙ୍କଠାରୁ ୧.୮୦ ଲକ୍ଷ ଟଙ୍କା ଠକେଇ ହୋଇଛି। ଏ ନେଇ ଅପରେଟର କାଳୀପ୍ରସାଦ ମହାପାତ୍ରଙ୍କ ଅଭିଯୋଗକ୍ରମେ ସତ୍ୟବାଦୀ ଥାନା ପୋଲିସ ନଂ. ୨୧୦/ ୨୧ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କରଞ୍ଜପଡା ଗ୍ରାମର ପ୍ରଭାସ କୁମାର ସେଠୀ। ସେ ୬ମାସ ହେବ ସତ୍ୟବାଦୀ ଥାନା ଉଆଁସଡିହ ଗ୍ରାମ ନିକଟରେ ଏକ ଭଡ଼ାଘରେ ରହୁଥିଲେ। କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରି ଜେଲ ପଠାଇଛି। ସୂଚନା ମୁତାବକ, ପ୍ରଭାସ ଚତୁରତାର ସହ ନିଜକୁ ଜଣେ ସେନା କର୍ମଚାରୀ ବୋଲି କହି ଭଡ଼ାଘରେ ରହୁଥିଲେ। ଏପରି କି ସ୍ଥାନୀୟ ଲୋକଙ୍କୁ ଚାକିରି କରାଇଦେବା କହିବା ସହ ହୋଟେଲରେ ବାକିରେ ଖାଇବା, ଘର ମାଲିକଙ୍କୁ ଭଡା ନ ଦେଇ ଓ ବ୍ୟବସାୟ ଆଳ ଦେଖାଇ ଅନେକ ଲୋକଙ୍କୁ ଠକେଇ କରି ଚାଲିଥିଲେ। ପରେ କାନାରା ବ୍ୟାଙ୍କ ସତ୍ୟବାଦୀ ଶାଖାରେ ଏକ ଆକାଉଣ୍ଟ ଖୋଲି ସେଠାରୁ ବ୍ୟାଙ୍କ ଚେକ୍‌ ସଂଗ୍ରହ କରିଥିଲେ। ଗତ ସପ୍ତାହରେ କାଳୀପ୍ରସାଦଙ୍କ ଜନ ସେବା କେନ୍ଦ୍ରକୁ ପ୍ରଭାସ ଯାଇ ପରିବାରର ଚିକିତ୍ସା ନିମନ୍ତେ ଟଙ୍କା ପଠାଇବା ଜରୁରୀ ବୋଲି କହି କିଛି ନଗଦ ଅର୍ଥ ପ୍ରଦାନ କରି ଅନଲାଇନ ମନି ଟ୍ରାନ୍ସଫର କରିଥିଲେ। ପରେ ୪/୫ଥର ମନି ଟ୍ରାନ୍ସଫର କରି କାଳୀପ୍ରସାଦଙ୍କୁ ବିଶ୍ୱାସ ଜନ୍ମାଇଥିଲେ। ପରେ ୫ଥରରେ ୧ଲକ୍ଷ ୮୦ହଜାର ଟଙ୍କା ପଠାଇବାକୁ କହି ଦୁଇଟି ଚେକ୍‌ ଦେଇଥିଲେ। କିନ୍ତୁ ଉକ୍ତ ୨ଟି ଚେକ୍‌ରେ ଟଙ୍କା ନ ଥିବା କାଳୀପ୍ରସାଦ କହିବାରୁ ପ୍ରଭାସ ପୁଣି ଅନ୍ୟ ୨ଟି ଫାଇନାନ୍ସ ବ୍ୟାଙ୍କର ୩ଟି ଚେକ୍‌ ଦେଇଥିଲେ। ମାତ୍ର ସେଥିରେ ମଧ୍ୟ ଟଙ୍କା ନ ଥିବାରୁ ଠକେଇର ଶିକାର ହୋଇଥିବା ଜାଣି କାଳୀପ୍ରସାଦ ବୁଧବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଏହାର ତଦନ୍ତ କରିବାରୁ ପ୍ରଭାସ ଜଣେ ଠକ ବୋଲି ଜାଣି ଘରେ ଚଢ଼ାଉ କରି ଧରିଥିଲା। ତାଙ୍କ ପରିବାର ସହିତ ପୋଲିସ ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ମାତ୍ର କୌଣସି ସୁଫଳ ନ ମିଳିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଅନ୍ୟମାନଙ୍କର ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର କହିଛନ୍ତି।