Categories: ଜାତୀୟ

ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

ବାନ୍ଦିପୋରା,୧୧।୩: ଉତ୍ତର କାଶ୍ମୀର ବାନ୍ଦିପୋରା ଜିଲାର ଗୁରେଜ ସେକ୍ଟରରେ ଶୁକ୍ରବାର ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ କୋ-ପାଇଲଟ ଗଭୀର ଆହତ ହୋଇଥିବା ଜଣାପଡ଼ିଛି। ଆହତ ପାଇଲଟଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଏନେଇ ସେନାର ଜେଣ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଏସ୍‌ଏଫ୍‌ର ଅସୁସ୍ଥ କର୍ମଚାରୀଙ୍କୁ ଆଣିବା ପାଇଁ ଉକ୍ତ ଚପର ଉଡାଣ ଭରିଥିଲା। ହେଲିକପ୍ଟରଟି ଅବତରଣ କରିବାକୁ ଯାଉଥିବା ବେଳେ ପ୍ରବଳ ତୁଷାରପାତ ଯୋଗୁ ଏହା ଗୁରେଜ ସେକ୍ଟରର ବରଉମ୍‌ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ହେଲିକପ୍ଟର ସହ ଯୋଗାଯୋଗ ଛିନ୍ନ ହୋଇଯାଇଥିଲା। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉକ୍ତ ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଥିବାରୁ ପାଦରେ ଏବଂ ହେଲିକପ୍ଟର ଯୋଗେ ଦୁର୍ଘଟଣାସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରାଯାଉଛି।

Share