ଡିଜେ ଗୀତରେ ନାଚୁଥିବା ବେଳେ ଟଳିପଡ଼ିଲେ ସେନା କର୍ମଚାରୀ, ତାପରେ…

ଲକ୍ଷ୍ନୌ,୨୭ା୧୧: ବିବାହ ଉତ୍ସବର ଖୁସି ମୁହୂର୍ତ୍ତକରେ ଶୋକରେ ପରିଣତ ହୋଇଗଲା। ଡିଜେ ଗୀତରେ ପତ୍ନୀଙ୍କ ସହ ନାଚୁଥିବା ବେଳେ ହଠାତ୍‌ ଟଳିପଡ଼ିଲେ ଭାରତୀୟ ସେନାର ଜଣେ କର୍ମଚାରୀ। ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ସାହାରନପୁର ଜିଲାରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଉଛନ୍ତି ୩୨ ବର୍ଷୀୟ ଦୁଷ୍ୟନ୍ତ କୁମାର ।

ସୂଚନା ଅନୁସାରେ, ଦୁଷ୍ୟନ୍ତ ଭାରତୀୟ ସେନାରେ କିରାଣି ଭାବେ କାର୍ଯ୍ୟରତ ଥିଲେ । ନିଜ ସମ୍ପର୍କୀୟ ଭାଇ ଦେବକରଣଙ୍କ ବିବାହରେ ଯୋଗଦେବା ପାଇଁ ସେ ନଭେମ୍ବର ୫ ତାରିଖରେ ଛୁଟିରେ ଘରକୁ ଆସିଥିଲେ । ମଙ୍ଗଳବାର ରାତିରେ ନାଗଲ ଅଞ୍ଚଳର ପନିୟାଲି କାସିମପୁର ଗାଁର ଏକ ବ୍ୟାଙ୍କ୍ୱେଟ୍‌ ହଲ୍‌ରେ ବିବାହ ଉତ୍ସବ ଚାଲିଥିଲା। ରାତି ପ୍ରାୟ ୨ଟା ୩୦ ମିନିଟ୍‌ରେ ବରଯାତ୍ରୀଙ୍କ ଘୋଡ଼ାଚଢ଼ି କାର୍ଯ୍ୟକ୍ରମ ସମୟରେ ଦୁଷ୍ୟନ୍ତ ନିଜ ପତ୍ନୀଙ୍କ ସହ ଡିଜେ ଗୀତରେ ନାଚୁଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ସିଏଚ୍‌ସିକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଯାଇଥିଲା। ଡାକ୍ତର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ପରିବାର ଲୋକଙ୍କ କହିବା ଅନୁସାରେ, ଦୁଷ୍ୟନ୍ତ ତାଙ୍କ ବାପା-ମାଆଙ୍କ ଏକମାତ୍ର ପୁଅ ଥିଲେ । ପ୍ରାୟ ୫ ବର୍ଷ ତଳେ ତାଙ୍କ ବିବାହ ହୋଇଥିଲା। ତେବେ ତାଙ୍କର କୌଣସି ସନ୍ତାନ ନଥିଲେ। ଏକମାତ୍ର ପୁଅକୁ ହରାଇ ବାପା-ମାଆ ଓ ପତ୍ନୀ ଭାଙ୍ଗିପଡ଼ିଛନ୍ତି । ଏହି ଘଟଣା ପରେ ପରିବାର ସହ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି।

ନାଗଲ ଥାନା ଅଧିକାରୀ ରାଧେଶ୍ୟାମ ଯାଦବଙ୍କ ସୂଚନା ଅନୁସାରେ, ଦୁଷ୍ୟନ୍ତ ପତ୍ନୀଙ୍କ ସହ ଡିଜେରେ ନାଚୁଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କ ମୃତ୍ୟୁ ହୃଦ୍‌ଘାତ ଯୋଗୁଁ ହୋଇଥିବା କହିଥିଲେ । ମୃତକଙ୍କ ଦାଦାଙ୍କ ଅଭିଯୋଗ ଆଧାରରେ ପୋଲିସ ପଞ୍ଚନାମା କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏନେଇ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଜାରି ରହିଛି ।

 

Dharitri – Odisha’s No.1 Odia Daily

Share