Categories: ଜାତୀୟ

ବିମୁଦ୍ରିକରଣ ସମୟରେ ଦୁର୍ନୀତି କରିଥିଲେ ସେନା ଅଧିକାରୀ

ନୂଆଦିଲ୍ଲୀ,୨୬।୧୨: ୨୦୧୬ ନଭେମ୍ବରରେ ବିମୁଦ୍ରିକରଣ ସମୟରେ ବିଭିନ୍ନ ଦୁର୍ନୀତି ସହ ଜଡ଼ିତ ଥିବା ଜଣେ ଭାରତୀୟ ସେନା କ୍ୟାପଟେନ ଜେନେରାଲ କୋର୍ଟ ମାର୍ସଲ (ଜିସିଏମ୍‌)ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ସେନାର ପଶ୍ଚିମାଞ୍ଚଳ କମାଣ୍ଡର ମୁଖ୍ୟ କାର୍ଯ୍ୟାଳୟରେ ଆସନ୍ତା ବର୍ଷ ଜାନୁୟାରୀ ୧୦ରୁ ଏହି ଜିସିଏମ୍‌ ଆରମ୍ଭ ହେବ।

ବିମୁଦ୍ରିକରଣ ବେଳେ ଅଭିଯୁକ୍ତ ସେନା କ୍ୟାପଟେନ ଦିଲ୍ଲୀରେ ସେନାର ପୋଷ୍ଟାଲ ସର୍ଭିସରେ ନିଯୁକ୍ତ ଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅନୁଯାୟୀ, ଟଙ୍କା କାରବାର ପାଇଁ ଅନୁମତି ନ ଥିବା ଦିନ ସେ ପୁରୁଣା ଟଙ୍କା ବଦଳରେ ନୂଆ ଟଙ୍କା ବିନିମୟକୁ ଅନୁମତି ଦେଇଥିଲେ। ଜାତୀୟ ରାଜଧାନୀସ୍ଥିତ ସେନା କେନ୍ଦ୍ରୀକ ପୋଷ୍ଟ ଅଫିସରୁ କେତେ ପରିମାଣର ଟଙ୍କା ଉଠାଯାଇଛି, ତାହାର ରେକର୍ଡ ମଧ୍ୟ ଦାଖଲ କରି ନ ଥିଲେ ଉକ୍ତ ଅଧିକାରୀ। ଏଥିସହିତ ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହ ମିଶି ଫେକ୍‌ ପରିଚୟ ଦେଇ ୫ ହଜାର ଫର୍ମ ଜରିଆରେ ନୂଆ ଟଙ୍କା ଉଠାଇଥିଲେ।

ବିମୁଦ୍ରିକରଣ ବେଳେ ବିଭିନ୍ନ ଦୁର୍ନୀତି ମାମଲାରେ ଅଧିକାରୀଙ୍କ ବିରୋଧରେ ଭାରତୀୟ ସେନା କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଗତ ସପ୍ତାହରେ ଜଣେ ଲ୍ୟୁଟନାଣ୍ଟ କଲୋନେଲଙ୍କୁ କୋର୍ଟ ମାର୍ସଲ ଦୋଷୀ ସାବ୍ୟସ୍ତ କରିଥିଲା।

Share