ସ୍ବର ଚପାଇ ପାରିବନି ସେନା

ୟାଙ୍ଗୁନ୍‌, ୭।୨: ମ୍ୟାନ୍‌ମାରରେ ସାମରିକ ବିଦ୍ରୋହ ବିରୋଧରେ ଆନ୍ଦୋଳନ ତେଜିବାରେ ଲାଗିଛି। ଶନିବାର ଏଠାରେ ସବୁଠୁ ବଡ଼ ବିକ୍ଷୋଭ ଦେଖିବାକୁ ମିଳିଥିଲା। ନୂଆ ସାମରିକ ଶାସନ ବିରୋଧରେ ସୋସିଆଲ ମିଡିଆରେ ଜନମତ ଜାଗ୍ରତ ହେଉଥିବାରୁ ଏହାକୁ ଚାପିଦେବା ପାଇଁ ସୈନ୍ୟବାହିନୀ ଦେଶବ୍ୟାପୀ ଇଣ୍ଟରନେଟ୍‌ ସେବା ବନ୍ଦ କରିଦେଇଛି। ଏହା ସତ୍ତ୍ୱେ ଲକ୍ଷାଧିକ ଯୁବ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ। ଇଣ୍ଟରନେଟ୍‌ ସେବା ବନ୍ଦ ଆନ୍ଦୋଳନକୁ ଅଟକାଇ ପାରିବ ନାହିଁ ବୋଲି ବିକ୍ଷୋଭକାରୀମାନେ କହିଛନ୍ତି। ୟାଙ୍ଗୁନ୍‌ ବିଶ୍ୱବିଦ୍ୟାଳୟ ନିକଟରେ ହଜାର ହଜାର ବିକ୍ଷୋଭକାରୀ ରୁଣ୍ଡ ହୋଇ ସେନାର କ୍ଷମତା ଦଖଲକୁ ବିରୋଧ କରିଥିଲେ। ସେମାନେ ସାମରିକ ଶାସନକୁ ବିରୋଧର ପ୍ରତୀକ ସ୍ବରୂପ ତିନିଆଙ୍ଗୁଠି ସାଲ୍ୟୁଟ୍‌ ଦେଖାଇଥିଲେ। ଅଧିକାଂଶ ସୁ ଚୀଙ୍କ ନ୍ୟାଶନାଲ ଲିଗ୍‌ ଫର୍‌ ଡେମୋକ୍ରାସି ପାର୍ଟି ପତାକା ରଙ୍ଗର ହାତପଟି ଲଗାଇଥିଲେ।
ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ବହୁସଂଖ୍ୟାରେ ଦଙ୍ଗାନିରୋଧୀ ପୋଲିସ ବଳ ନିୟୋଜିତ କରାଯାଇଥିଲା। ସଂଘର୍ଷ ଭୟରେ କେତେଜଣ ବିକ୍ଷୋଭକାରୀ ସ୍ଥାନ ଛାଡ଼ି ପଳାଇଥିଲେ। ଅନ୍ୟମାନେ ସେଠାରେ ଉପସ୍ଥିତ ରହିଥିଲେ ହେଁ ପୋଲିସ ସହ ମୁହାଁମୁହିଁ ହୋଇ ନ ଥିଲା। ୟାଙ୍ଗୁନ୍‌ର ଅନ୍ୟ ସ୍ଥାନରେ ଦୁଇଟି ଗୋଷ୍ଠୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସବୁ ଯୋଗାଯୋଗ ମାଧ୍ୟମକୁ ବନ୍ଦ ରଖାଯାଇଥିବାବେଳେ ବହିଷ୍କୃତ ନେତ୍ରୀ ଅଙ୍ଗ୍‌ ସାନ୍‌ ସୁ ଚୀଙ୍କ ଅଷ୍ଟ୍ରେଲୀୟ ଉପଦେଷ୍ଟା ଏକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ତାଙ୍କୁ ଏକ ହୋଟେଲରେ ଅଟକ ରଖାଯାଇଛି, ଯେଉଁଠୁ ସେ ବାହାରି ପାରୁନାହାନ୍ତି।
ଦେଶରେ ୧୦ ବର୍ଷର ଗଣତନ୍ତ୍ର ଶାସନକୁ ହଟାଇ ସୈନ୍ୟବାହିନୀ କ୍ଷମତା ଦଖଲ କରିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଇଛି। ସେମାନେ ଜନସାଧାରଣଙ୍କ ଭୋଟକୁ ସମ୍ମାନ ଦେଉନାହାନ୍ତି ଓ ଦେଶ ପ୍ରତି ବିଶ୍ୱାସଘାତ କରିଛନ୍ତି ବୋଲି ଜଣେ ବିକ୍ଷୋଭକାରୀ କହିଛନ୍ତି।

ଆକ୍ରମଣରେ ୧୨ ନିହତ

ମ୍ୟାନ୍‌ମାରର କୋକାଙ୍ଗ ସ୍ବୟଂଶାସିତ ଜୋନ୍‌ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟିର ପୂର୍ବତନ ସଦସ୍ୟ ୟୁ ଖିନ୍‌ ମାଉଙ୍ଗ ଲ୍ବିନ୍‌ଙ୍କ ସମେତ ଅନ୍ୟମାନଙ୍କ ଗାଡ଼ି ଉପରେ ଦେଶର ନ୍ୟାଶନାଲ ଡେମୋକ୍ରାଟିକ୍‌ ଆଲିଆନ୍ସ ଆର୍ମିର ଏକ ଗୋଷ୍ଠୀ ସଶସ୍ତ୍ର ଆକ୍ରମଣ କରିଛନ୍ତି। ଏଥିରେ ୩ ପୋଲିସ୍‌ଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୮ ଜଣ ସାଧାରଣ ନାଗରିକ ଓ ୫ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି। ମାଉଙ୍ଗ ଲ୍ବିନ୍‌ ଲାଶିଓରୁ କୋକାଙ୍ଗ ରାଜଧାନୀ ଲାଉକାଇ ଯାଉଥିବାବେଳେ ବାଟରେ ଆକ୍ରମଣ ହୋଇଥିଲା।

Share