ଟ୍ରମ୍ପ୍‌ ସମର୍ଥକଙ୍କ ସଶସ୍ତ୍ର ବିକ୍ଷୋଭ

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଭୋଟଗଣତି ଜାରି ରହିଥିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରାୟ ୨୦୦ ସମର୍ଥକ ଆରିଜୋନାର ଏକ ଭୋଟ କେନ୍ଦ୍ରରେ ବୁଧବାର ରାତିରେ ସଶସ୍ତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମାସ୍କ ନ ପିନ୍ଧି ସେମାନେ ହାତରେ ରାଇଫଲ ଓ ହ୍ୟାଣ୍ଡଗନ୍‌ ଧରି ଧମକ ଦେଇଥିବା ଜଣାପଡ଼ିଛି। ଡେମୋକ୍ରାଟ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ଲିଡ୍‌ ନେଉଥିବା ଓ ଟ୍ରମ୍ପଙ୍କ ଭୋଟ ଉଦ୍ଦେଶ୍ୟମୂଳକ ଭାବେ ଗଣାଯାଉ ନ ଥିବା ପ୍ରଚାର ହେବା ପରେ ଏଭଳି ପରିସ୍ଥିତି ଦେଖାଦେଇଥିଲା। ସୋସିଆଲ ମିଡିଆରେ ଏଭଳି ମିଥ୍ୟା ପ୍ରଚାର ପରେ ଟ୍ରମ୍ପ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ପ୍ରକାଶଥାଉ କି, ଆରିଜୋନାରେ ବାଇଡେନ୍‌ଙ୍କ ବିଜୟ ୧୧ ଇଲେକ୍ଟୋରାଲ ଭୋଟ ଆଣିଦେବ, ଯାହା ତାଙ୍କ ବିଜୟ ପଥକୁ ସୁଗମ କରିବ।
ଡାଉନ୍‌ଟାଉନ୍‌ ଡେଟ୍ରୋଇଟ୍‌ରେ ମଧ୍ୟ ବୁଧବାର ଅନୁରୂପ ଘଟଣା ଘଟିଛି। ଭୋଟଗଣତି କେନ୍ଦ୍ରକୁ ରିପବ୍ଲିକାନ୍‌ ପାର୍ଟିର ୩୦ଜଣ ସମର୍ଥକ ପଶି ଜାଲିଆତି କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଭୋଟଗଣତି ଜାରି ରହିଥିବାବେଳେ ସମ୍ଭାବ୍ୟ ପରାଜୟ ଭୟରେ ରିପବ୍ଲିକାନ୍‌ ପାର୍ଟିର ସମର୍ଥକମାନେ ବିଭିନ୍ନ ସ୍ଥାନରେ ଏଭଳି ବିକ୍ଷୋଭ କରୁଥିବା ଅଭିଯୋଗ ହୋଇଛି।

Share