ନବବଧୂଙ୍କୁ ବାନ୍ଧି ସଶସ୍ତ୍ର ଡକାୟତି

ଖଇରା,୨୦ା୩(ଡି.ଏନ.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରୁଗଁା ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ଜଣେ ନବବଧୂଙ୍କୁ ଦଉଡ଼ିରେ ବାନ୍ଧି ଦୁଇ ଦୁର୍ବୃତ୍ତ ୧ଲକ୍ଷ ଟଙ୍କା ଓ ୫ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଗହଣା ଲୁଟି ନେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ନବବଧୂ ଆହତ ହୋଇ ଚିକିତ୍ସା ପାଇଁ ଖଇରା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଥାନା ଆଇଆଇସି ଗଣେଶ୍ବର ପ୍ରଧାନ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରି ଫେରିଛନ୍ତି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ପାଣିଗ୍ରାହୀଙ୍କ ଘରୁ ରବିବାର ଅପରାହ୍ନରେ ଏହି ସଶସ୍ତ୍ର ଡକାୟତି ହୋଇଛି।
ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୧ଟା୩୦ମିନିଟ ସମୟରେ ଘରେ କେବଳ ନବବଧୂ ଜ୍ୟୋତିରେଖା ସାହୁ ଥିଲେ। ୨ଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ପାଣି ପିଇବାକୁ ମାଗିଥିଲେ। ଜ୍ୟୋତିରେଖା ପାଣି ଆଣିବାକୁ ଯିବା ପରେ ସେମାନେ ଘର ଭିତରକୁ ଯାଇ ଏକ ବାଡ଼ିରେ ତାଙ୍କୁ ଆକ୍ରମଣ କରିବା ସହ ହାତ ଗୋଡ଼ ବାନ୍ଧି ପକାଇଥିଲେ। ପରେ ନଗଦ ୧ଲକ୍ଷ ଟଙ୍କା ଓ ୫ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ଗହଣା ନେଇ ପଳାଇଥିଲେ। ଖବରପାଇ ପରିବାର ଲୋକେ ଘରେ ପହଞ୍ଚତ୍ ଜ୍ୟୋତିରେଖାଙ୍କୁ ଡାକ୍ତରଖାନା ନେଇଥିଲେ। ଏନେଇ ଥାନାରେ ଏକ ମାମଲା (ନଂ.୮୦/୨୩)ରୁଜୁ ହୋଇଛି। ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ ବୋଲି ଆଇଆଇସି କହିଛନ୍ତି।