Categories: ଜାତୀୟ

ମୋଦି କ୍ୟାବିନେଟରେ ବଡ଼ ପରିବର୍ତ୍ତନ, ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ

ନୂଆଦିଲ୍ଲୀ,୧୮।୫: ମୋଦି କ୍ୟାବିନେଟରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ବର୍ତ୍ତମାନ ଏହି ମନ୍ତ୍ରଣାଳୟର ଦାୟିତ୍ୱ ଅର୍ଜୁନ ରାମ ମେଘୱାଲଙ୍କୁ ଦିଆଯାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ୟାବିନେଟ ଅଦଳବଦଳକୁ ଅନୁମୋଦନ କରିଛନ୍ତି। ସରକାରୀ ସୂଚନା ଅନୁଯାୟୀ, କିରେନ ରିଜିଜୁଙ୍କୁ ଆଇନ ମନ୍ତ୍ରଣାଳୟରୁ ହଟାଇ ଭୂ-ବିଜ୍ଞାନ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।

ଏହି ପରିବର୍ତ୍ତନ ଉପରେ କିରେନ ରିଜିଜୁ କହିଛନ୍ତି, ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ପୋର୍ଟଫୋଲିଓରେ ପରିବର୍ତ୍ତନ କରାଯାଇଛି। ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲାରେ ଜନ୍ମଗ୍ରହଣ କରିଥିବା କିରେନ ରିଜିଜୁ ଅରୁଣାଚଳ ପଶ୍ଚିମ ଲୋକ ସଭା ଆସନରୁ ଭାଜପା ଏମ୍‌ପି ଅଛନ୍ତି।

ଅଜୁର୍ନ ରାମ ମେଘୱାଲ ପୂର୍ବରୁ ମୋଦି କ୍ୟାବିନେଟରେ ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ଥିଲେ। ସେ ୨୦୦୯ ମସିହାରେ ପ୍ରଥମ କରି ସଂସଦକୁ ନିର୍ବାଚିତ ହୋଇଥିଲେ। ୨୦୧୩ ମସିହାରେ ତାଙ୍କୁ ଶ୍ରେଷ୍ଠ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।

Share