ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପ୍ରଦର୍ଶନକାରୀଙ୍କ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲ ସହ ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତିତ୍ୱ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରସିଦ୍ଧ ଗାୟକ ଅରିଜିତ ସିଂହ ମଙ୍ଗଳବାର ନିଜ ଏକ୍ସ (ପୂର୍ବତନ ଟ୍ୱିଟର) ଆକାଉଣ୍ଟରେ ଏକ ପୋଷ୍ଟ କରି ଛାତ୍ରଙ୍କ ବିରୋଧରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, “ଏବେ ଛାତ୍ରମାନଙ୍କୁ ମଧ୍ୟ ପିଟୁଛନ୍ତି। ଆପଣମାନଙ୍କୁ ଲଜ୍ଜା ଲାଗୁନାହିଁ କି? ନେତା ଓ ମନ୍ତ୍ରୀମାନେ, କ’ଣ ଚାଲିଛି? ନିଜକୁ ଭଗବାନ ବୋଲି ଭାବୁଛନ୍ତି କି? ସବୁକିଛି ମନେ ରହିବ। ପରିବର୍ତ୍ତନ ହିଁ ଏକମାତ୍ର ସତ୍ୟ।”

ଅନ୍ୟ ଏକ ପୋଷ୍ଟରେ ଅରିଜିତ କହିଛନ୍ତି, “ୟୁନିଫର୍ମ ପିନ୍ଧିଥିବା କିଛି ଲୋକଙ୍କ ଭିଡିଓ ଦେଖୁଛି, ଯେଉଁମାନେ ଗୁଣ୍ଡାଙ୍କ ପରି ବ୍ୟବହାର କରୁଛନ୍ତି।” ତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଦ୍ରୁତ ଭାବେ ଭାଇରାଲ ହୋଇଛି।

ଏହା ପୂର୍ବରୁ ମଧ୍ୟ ଅରିଜିତ ସମାଜସେବୀ ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ଏକ ପୋଷ୍ଟ କରିଥିଲେ। ଜନ୍ତର ମନ୍ତରରେ ତାଙ୍କ ଅନଶନ ସମୟରେ ଅରିଜିତ ଲେଖିଥିଲେ, “ଆପଣଙ୍କ ପାଇଁ ଭଲପାଇବା ଓ ପ୍ରାର୍ଥନା। ଭଗବାନ ଆପଣଙ୍କୁ ଶକ୍ତି ଦିଅନ୍ତୁ।”

ଏପଟେ ଅରିଜିତଙ୍କ ସଙ୍ଗୀତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କିଛି ମାସ ପୂର୍ବରୁ ସେ ପ୍ଲେବ୍ୟାକ୍ ସିଙ୍ଗିଂରୁ ଦୂରେଇବାକୁ ଘୋଷଣା କରିଥିଲେ। ତେବେ ପୂର୍ବରୁ ନେଇଥିବା ପ୍ରତିଶ୍ରୁତି ଅନୁଯାୟୀ ସେ କିଛି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବେ ବୋଲି କହିଥିଲେ। ସମ୍ପ୍ରତି ‘ଆୱାରାପନ ୨’ ଫିଲ୍ମର ‘ଏ ଆୱାରାପନ’ ଗୀତରେ ତାଙ୍କ ସ୍ୱର ଶୁଣିବାକୁ ମିଳିଛି। ଏହି ଗୀତକୁ ଅମାଲ ମଲ୍ଲିକ ସଙ୍ଗୀତବଦ୍ଧ କରିଥିବାବେଳେ ରଶ୍ମି-ବିରାଗ ଗୀତର ଶବ୍ଦ ଲେଖିଛନ୍ତି।

Dharitri – Odisha’s No.1 Odia Daily