Categories: ଖେଳ

କ୍ରସ୍‌ ଓଭରରେ ଆର୍ଜେଣ୍ଟିନା, ଫ୍ରାନ୍ସ

ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୨୧।୧: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଆର୍ଜେଣ୍ଟିନା-ଫ୍ରାନ୍ସ ହକି ବିଶ୍ୱକପ୍‌ ମ୍ୟାଚ ୫-୫ ଗୋଲରେ ଡ୍ର ରହିଛି। ଆର୍ଜେଣ୍ଟିନା (୯ମ) ତୁଳନାରେ ଫ୍ରାନ୍ସ (୧୧ଶ) ର଼୍ୟାଙ୍କିଙ୍ଗ୍‌ରେ ନିମ୍ନରେ ଥିଲେ ହେଁ ଏହି ମ୍ୟାଚରେ କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ଦଳର ଅଧିନାୟକ ଭିକ୍ଟର ଚାର୍ଲେଟ ପ୍ରକୃତ ସେନାନାୟକ ଭଳି ପ୍ରଦର୍ଶନ କରିଥିଲେ। ସେ ୩୫, ୩୭, ୪୮ ଓ ୫୯ତମ ମିନିଟରେ ଏକାକୀ ୪ଟି ଗୋଲ ସ୍କୋର କରିଥିଲେ। ଏଥିରୁ ୨ଟି ଗୋଲ ପେନାଲ୍ଟି କର୍ନର ଓ ଅନ୍ୟ ୨ଟି ପେନାଲ୍ଟି ଷ୍ଟ୍ରୋକ୍‌ରୁ ଆସିଥିଲା। ୩୫ ଓ ୫୯ତମ ମିନିଟରେ ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଆର୍ଜେଣ୍ଟିନାକୁ ଦଣ୍ଡସ୍ବରୂପ ଫ୍ରାନ୍ସକୁ ପେନାଲ୍ଟି ଷ୍ଟ୍ରୋକ୍‌ ସୁଯୋଗ ଦିଆଯାଇଥିଲା। ଚାର୍ଲେଟ ସଫଳତାର ସହ ଏହାକୁ ଗୋଲରେ ପରିଣତ କରିଥିଲେ। ଇଟିନେ ଟେନ୍‌ଭେଜ ୧୦ମ ମିନିଟରେ ଦଳ ପକ୍ଷରୁ ଅନ୍ୟ ଗୋଲଟି ସ୍କୋର କରିଥିଲେ। ଆର୍ଜେଣ୍ଟିନା ପକ୍ଷରୁ ନିକୋଲାସ ଡେଲା ଟୋରେ ୩୩, ୪୧ ଓ ୫୯ତମ ମିନିଟରେ ପେନାଲ୍ଟି କର୍ନରରୁ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ନିକୋଲାସ କିନାନ ୨ୟ ଏବଂ ମାର୍ଟିନ ଫେରେରୋ ୫୦ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଗ୍ରୁପ୍‌ ପର୍ଯ୍ୟାୟ ଶେଷରେ ପୁଲ୍‌ ‘ଏ’ ରୁ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହି ଆର୍ଜେଣ୍ଟିନା ଓ ଫ୍ରାନ୍ସ କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୩ଟି ଲେଖାଏ ମ୍ୟାଚ ଖେଳି ସାରିଥିବାବେଳେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ଯଥାକ୍ରମେ ୫ ଓ ୪ ପଏଣ୍ଟ ପାଇ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। କ୍ରସ୍‌ ଓଭର ମ୍ୟାଚ ଜିତିଲେ ଏହି ଦୁଇ ଦଳ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହେବେ।

Share