ନୂଆଦିଲ୍ଲୀ, ୮ା୫ (ପି.ଟି.):ଓଜନ ହ୍ରାସ ପାଇଁ ବ୍ୟବହୃତ ହେଉଥିବା ଏବକାର ଓରାଲ୍ ଔଷଧଗୁଡ଼ିକ କେବଳ ଭୋକ କମାଉନାହିଁ, ବରଂ ଏହା ମସ୍ତିଷ୍କର ‘ରିୱାର୍ଡ ସର୍କିଟ’କୁ ସିଧାସଳଖ ପ୍ରଭାବିତ କରୁଛି। ଏହାଦ୍ୱାରା ମଣିଷର ଭାବନାକୁ ନିୟନ୍ତ୍ରଣ କରିଥାଏ। ‘ରିୱାର୍ଡ ସର୍କିଟ’ ହେଉଛି ଏକ ଜଟିଳ ସ୍ନାୟୁ ପ୍ରଣାଳୀ, ଯାହା ଆମକୁ କୌଣସି କାମ କରିବା ପାଇଁ ଉତ୍ସାହିତ କରିଥାଏ ଏବଂ ସେହି କାମ କରିବା ପରେ ଆମକୁ ଖୁସି ବା ଆନନ୍ଦ ଦେଇଥାଏ। ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହି ଔଷଧଗୁଡ଼ିକର ପ୍ରଭାବ ଓଜନ ହ୍ରାସରେ ସୀମିତ ନ ରହି ବ୍ୟକ୍ତିର ଆନନ୍ଦ ବା ଖୁସି ଅନୁଭବ କରିବାର କ୍ଷମତାକୁ ମଧ୍ୟ ପ୍ରଭାବିତ କରିପାରେ।
ସାଧାରଣତଃ ‘ଜିଏସ୍ପି-୧ ରିସେପ୍ଟର ଆଗୋନିଷ୍ଟ’ ଶ୍ରେଣୀର ଔଷଧଗୁଡ଼ିକ ପ୍ରଥମେ ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବିକଶିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ଓଜନ ହ୍ରାସ କରିବାରେ ସହାୟକ ହେଉଥିବା ଜଣାପଡ଼ିଥିଲା। ଆମେରିକାର ଭର୍ଜିନିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜେନେଟିକାଲି ଇଞ୍ଜିନିୟରିଂ ମୂଷା ମଡେଲ ସାହାଯ୍ୟରେ ପରୀକ୍ଷା କରି ଦେଖିଛନ୍ତି ଯେ, ନିକଟରେ ଅନୁମୋଦିତ ଡାନୁଗ୍ଲିପ୍ରୋନ ଏବଂ ଅରଫୋଗ୍ଲିପ୍ରୋନ ଭଳି ଓରାଲ୍ ଔଷଧଗୁଡ଼ିକ ମସ୍ତିଷ୍କର ଗଭୀର ଅଂଶ ପର୍ଯ୍ୟନ୍ତ ପହଞ୍ଚିପାରୁଛି। ମୁଖ୍ୟ ଗବେଷକ ତଥା ସ୍ନାୟୁବିଜ୍ଞାନୀ ଅଲି ଡି. ଗୁଲରଙ୍କ କହିବା ଅନୁଯାୟୀ, ଏହି ଔଷଧଗୁଡ଼ିକ କେବଳ ଭୋକ କମାଉ ନାହିଁ, ବରଂ ପସନ୍ଦର ଖାଦ୍ୟ ଖାଇବା ପାଇଁ ଥିବା ତୀବ୍ର ଇଚ୍ଛାକୁ ମଧ୍ୟ ହ୍ରାସ କରୁଛି। ଗବେଷଣା ଅନୁସାରେ, ଏହି ଔଷଧଗୁଡ଼ିକ ମସ୍ତିଷ୍କର ‘ସେଣ୍ଟ୍ରାଲ ଆମିଗଡାଲା’ (ଭାବନା ପ୍ରକ୍ରିୟାକରଣ କେନ୍ଦ୍ର) ଏବଂ ଡୋପାମାଇନ୍ (ନ୍ୟୁରୋଟ୍ରାନ୍ସମିଟର) ଉତ୍ପାଦନ କରୁଥିବା ନ୍ୟୁରନ ମଧ୍ୟରେ ଥିବା ସର୍କିଟକୁ ସକ୍ରିୟ କରୁଛି। ଏହା ହିଁ ନିର୍ଦ୍ଧାରଣ କରେ ଯେ ଆମେ କୌଣସି ଜିନିଷରୁ କେତେ ଆନନ୍ଦ ପାଇବା। ଡୋପାମାଇନ ହେଉଛି ‘ରିୱାର୍ଡ ସର୍କିଟ’ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯେତେବେଳେ ଆମେ କିଛି ଭଲ ଖାଦ୍ୟ ଖାଉ, ନୂଆ ଜିନିଷ ଶିଖୁ ବା କୌଣସି ସଫଳତା ପାଉ, ମସ୍ତିଷ୍କରେ ଡୋପାମାଇନ କ୍ଷରଣ ହୁଏ। ଏହା ଆମକୁ ‘ଭଲ ଅନୁଭବ’ କରାଏ।
‘ନେଚର’ ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ, ଏହି ଔଷଧଗୁଡ଼ିକର ଅନ୍ୟାନ୍ୟ ଦିଗ ମଧ୍ୟ ରହିଛି। କେତେଜଣ ରୋଗୀଙ୍କ କ୍ଷେତ୍ରରେ ଏହା ଧୂମପାନ ଭଳି ଅଭ୍ୟାସ କମାଇବାରେ ସହାୟକ ହେଉଥିବାବେଳେ ଅନ୍ୟମାନେ ସାଧାରଣ ଆନନ୍ଦଦାୟକ କାର୍ଯ୍ୟରୁ କମ୍ ଉତ୍ସାହ ପାଉଥିବା ଅଭିଯୋଗ କରିଛନ୍ତି। ଗବେଷକମାନେ ମତ ଦେଇଛନ୍ତି ଯେ, ଯେହେତୁ ଏହି ଓରାଲ୍ ଔଷଧଗୁଡ଼ିକ ଇଞ୍ଜେକ୍ସନ ତୁଳନାରେ ଶସ୍ତା ଏବଂ ସହଜଲବ୍ଧ, ଏହାର ବ୍ୟବହାର ଦ୍ରୁତଗତିରେ ବଢ଼ିବ। ତେଣୁ ଏହାର ବ୍ୟବହାର ପୂର୍ବରୁ ମସ୍ତିଷ୍କ ଓ ବ୍ୟବହାର ଉପରେ ଏହାର ଦୀର୍ଘକାଳୀନ ପ୍ରଭାବକୁ ବୁଝିବା ଏବଂ ଉପଯୁକ୍ତ ତଦାରଖ କରିବା ଅତ୍ୟନ୍ତ ଜରୁରୀ।