ଆଖଣ୍ଡଳମଣିଙ୍କୁ ଧନୁମୁଆଁ ଅର୍ପଣ

ଆରଡ଼ି,୧୬।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଶୁକ୍ରବାର ଧନୁସଂକ୍ରାନ୍ତିରେ ପରମ୍ପରା ଅନୁସାରେ ବାବାଆଖଣ୍ଡଳମଣିଙ୍କୁ ଧନୁମୁଆଁ ଅର୍ପଣ କରାଯାଇଛି। ଭୋର ୪ଟା ୩୦ରେ ମନ୍ଦିର ପହଡ଼ ଖୋଲିଲା ପରେ ବିଧି ଅନୁସାରେ ମଙ୍ଗଳ ଆଳତି କରାଯାଇ ବାବାଙ୍କ ସ୍ନାନ ସମାପନ କରାଯାଇଥିଲା। ପରେ ବାବା ଆଖଣ୍ଡଳମଣିଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇଥିଲା। କର୍ପୂର ଆଳତି କରାଯାଇ ଭୋଗରେ ଧନୁମୁଆଁ ଅର୍ପଣ କରାଯାଇଥିଲା।
ପ୍ରଥାନୁଯାୟୀ ସ୍ଥାନୀୟ ବାରପଡ଼ା ଅଞ୍ଚଳର ଚାଷୀମାନେ ପ୍ରଥମ ଶସ୍ୟରେ ଖଇମୁଆଁ ପ୍ରସ୍ତୁତ କରି ବାବା ଆଖଣ୍ଡଳମଣିଙ୍କ ଉଦ୍ଦେଶ୍ୟରେ ନିଜ ନିଜ ଘରେ ଭୋଗ ଦେଉଥିଲେ। ସେହିଦିନ ପୀଠକୁ ଯାଇ ବାବାମଣିଙ୍କୁ ଦର୍ଶନ କରିବା ସହ ସେଠାରେ ଦୋକାନରୁ ମୁଆଁ କିଣି ଭୋଗ ସମର୍ପଣ କରୁଥିଲେ। ସେହିପରି ସେବାୟତ ପରିବାର ନିଜ ଘରେ ଖଇ, ଛେନା, ନଡ଼ିଆ, ଚିନି, ଜୁଆଣି, ଅଦା, କର୍ପୂର ଓ ବାଦାମରେ ପ୍ରସ୍ତୁତ ମୁଅଁା ବାବାଙ୍କ ପାଖରେ ଭୋଗ ଲାଗି କରୁଥିଲେ। ଏହି ପ୍ରଥା ଏବେବି ବଜାୟ ରହିଛି। ଧନୁସଂକ୍ରାନ୍ତିରେ ପ୍ରଥମେ ପାଳିଆ ସେବାୟତ ଓ ପରେ ସମସ୍ତ ସେବାୟତଙ୍କ ପରିବାର ପକ୍ଷରୁ ମୁଆଁ ଭୋଗ ବାବାଙ୍କୁ ସମର୍ପଣ କରାଯାଇଥିଲା। ବାବାଙ୍କୁ ସମର୍ପିତ ମୁଆଁ ଖାଇଲେ ଶୀତଦିନେ ହେଉଥିବା ବିଭିନ୍ନ ଚର୍ମରୋଗ ଆରୋଗ୍ୟ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି। ସଂକ୍ରାନ୍ତି ଅବସରରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା।