ଇଡି ହାତରେ ଅର୍ଚ୍ଚନାଙ୍କ ଦୁଇ ଡାଏରୀ

ଭୁବନେଶ୍ୱର, ୧୭।୧୨ (ବ୍ୟୁରୋ): ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରୁଛି। ପ୍ରଥମ ପର୍ଯ୍ୟାୟରେ ୭ ଦିନିଆ ରିମାଣ୍ଡ ଅବଧି ସମୟରେ ଅର୍ଚ୍ଚନା ଇଡି ଆଗରେ ତାଙ୍କ କଳା ସାମ୍ରାଜ୍ୟର ବଡ଼ ଗୁମର ସମ୍ପର୍କରେ କିଛି ବି ମୁହଁ ଖୋଲି ନ ଥିଲେ। ଏବେ ନାଗ-ଚାନ୍ଦ ଦମ୍ପତିଙ୍କୁ ମୁହାଁମୁହିଁ ଜେରା ସମୟରେ ବି ଉଭୟ ଚୁପ୍‌ ରହୁଛନ୍ତି। ଏପରି ସ୍ଥିତିରେ ଇଡି ଅଧିକାରୀମାନେ ଶୁକ୍ରବାର ଖଣ୍ଡଗିରି ଥାନାକୁ ଯାଇ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ୨ଟି ଡାଏରୀ ଜବତ କରିଥିବା ସୂଚନା ମିଳିଛି। ଏସବୁରେ ହନିଟ୍ରାପ୍‌, ବ୍ଲାକ୍‌ମେଲ୍‌ ଓ ବେଆଇନ ଆର୍ଥିକ କାରବାରର ଗୁମର ରହିଥିବା ଇଡି ଆଶା କରୁଛି। ଏପରିକି ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ଉକ୍ତ ୨ ଡାଏରୀରେ ଅନେକ ତଥ୍ୟ ଥିବା କୁହାଯାଉଛି। ତେବେ ଆଗାମୀ ଦିନରେ ଏଥିରୁ ଇଡି କି ପ୍ରମାଣ ପାଉଛି ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅପରପକ୍ଷରେ ଗିରଫବେଳେ ଅର୍ଚ୍ଚନାଙ୍କ ଘରୁ ୪ ମୋବାଇଲ ଫୋନ୍‌, ୨ ଟାବ୍‌ଲେଟ୍‌ ଓ ଗୋଟିଏ ପେନ୍‌ଡ୍ରାଇଭ୍‌ ଜବତ କରିଥିଲା କମିଶନରେଟ ପୋଲିସ। ପରବର୍ତ୍ତୀ ସମୟରେ ପୋଲିସ ସେସବୁରୁ ପ୍ରମାଣ ପାଇବାକୁ ରାଜ୍ୟ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଇଥିଲା। ଉକ୍ତ ଡିଜିଟାଲ ଦସ୍ତାବିଜ୍‌ଗୁଡ଼ିକୁ ଦେବାକୁ ଫୋରେନ୍‌ସିକ୍‌ ଲାବକୁ ୨ଥର ଚିଠି ଲେଖିଲାଣି ଇଡି। ଏପରି କି ଉକ୍ତ ପ୍ରମାଣ ଇଡିକୁ ଦେବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏପର୍ଯ୍ୟନ୍ତ ଫୋରେନସିକ୍‌ ଲାବ ପକ୍ଷରୁ ଉକ୍ତ ଡିଜିଟାଲ ପ୍ରମାଣପତ୍ର ଇଡିକୁ ଦିଆଯାଉନାହିଁି। ତେଣୁ ଶୁକ୍ରବାର ଇଡିର ଅଧିକାରୀମାନେ ରସୁଲଗଡ଼ ଛକସ୍ଥିତ ଉକ୍ତ ଲାବକୁ ଯାଇ ଏହା ବିଷୟରେ ପଚାରି ବୁଝିଥିଲେ। ହେଲେ ଏଥର ବି ଇଡି ଖାଲି ହାତରେ ଫେରିଛି। ଉକ୍ତ ଡିଜିଟାଲ ପ୍ରମାଣପତ୍ରରେ ଆର୍ଥିକ କାରବାର ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା କୁହାଯାଉଥିଲା। ତେବେ ବାରମ୍ବାର ଚିଠି ଓ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇଡିକୁ ଉକ୍ତ ପ୍ରମାଣପତ୍ର ନ ମିଳିବା ଘଟଣାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଫୋରେନ୍‌ସିକ୍‌ ଲାବ୍‌ର ଏପରି ଅସହଯୋଗକୁ ନେଇ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାମଲାରେ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ରହିଥିବାରୁ ରାଜ୍ୟ ପୋଲିସ ପକ୍ଷରୁ ଏହି ତଥ୍ୟ ଦେବା ପାଇଁ ବିଳମ୍ବ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏପରି ସ୍ଥିତିରେ ଅର୍ଚ୍ଚନାଙ୍କ ଆର୍ଥିକ ସାମ୍ରାଜ୍ୟକୁ କିପରି ଭେଦିବ ତାହା ବର୍ତ୍ତମାନ ଇଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।
ଇଡି ମଙ୍ଗଳବାରଠାରୁ ଅର୍ଚ୍ଚନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୬ ଦିନ ଓ ଜଗବନ୍ଧୁଙ୍କୁ ପ୍ରଥମ ପର୍ଯ୍ୟାୟରେ ବୁଧବାରଠାରୁ ୯ଦିନ ପାଇଁ ରିମାଣ୍ଡରେ ଆଣିଛି। ହେଲେ ଦିନ ସରୁଥିଲେ ମଧ୍ୟ ଇଡି ରାଜ୍ୟର ଏହି ବଡ଼ ବ୍ୟାକ୍‌ମେଲିଂ ମାମଲାର ରହସ୍ୟ ଉନ୍ମୋଚନ କରିବାରେ ବିଫଳ ହୋଇପାରେ ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ପ୍ରଥମେ କମିଶନରେଟ ପୋଲିସ, ଏବେ ରାଜ୍ୟ ପୋଲିସ ଅଧୀନରେ ଥିବା ଫୋରେନ୍‌ସିକ୍‌ ଲାବ୍‌ର ଅସହଯୋଗ ଏପରି ଆଶଙ୍କାକୁ ଆହୁରି ଦୃଢ଼ୀଭୂତ କରୁଛି।