ଆଜିଠାରୁ ଜେଲରେ ଲ’ ପରୀକ୍ଷା ଦେବେ ଅର୍ଚ୍ଚନା

ଭୁବନେଶ୍ୱର,୧।୨(ବ୍ୟୁରୋ): ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଝାରପଡ଼ା ଜେଲରେ ଦିନ କାଟୁଥିବାବେଳେ ବୁଧବାରଠାରୁ ସେ ଏଠାରେ ଲ’ ପରୀକ୍ଷା ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଅର୍ଚ୍ଚନା କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେଡ୍‌ ଲ’ ପଢ଼ୁଥିବାବେଳେ ଏବେ ପାଠ୍ୟକ୍ରମର ୪ର୍ଥ ବର୍ଷ ଚାଲିଛି। ସେ ସପ୍ତମ ସେମିଷ୍ଟାରର ୬ଟି ପେପର୍‌ରେ ପରୀକ୍ଷା ଦେବେ। ଜେଲ ମାନୁଆଲ ଅନୁଯାୟୀ ଅର୍ଚ୍ଚନା ଫେବୃୟାରୀ ୧, ୪, ୫, ୯, ୧୫, ୧୭ରେ ଝାରପଡ଼ା ଜେଲରେ ପରୀକ୍ଷା ଦେବେ ବୋଲି ତାଙ୍କ ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି। ୧୦ଦିନ ତଳେ ଅର୍ଚ୍ଚନା ଫର୍ମ ପୂରଣ କରିବାକୁ ତାଙ୍କ ଓକିଲଙ୍କ ପକ୍ଷରୁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ତେବେ ଅଚ୍ଚର୍ନା ଜେଲ ମାନୁଆଲ ଅନୁଯାୟୀ ଫର୍ମ ଦାଖଲ ଓ ପରୀକ୍ଷା ଦେଇପାରିବେ ବୋଲି କୋର୍ଟ ଅନୁମତି ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଚ୍ଚନାଙ୍କ ବେଆଇନ ଅର୍ଥ କାରବାର ଦିଗରେ ତଦନ୍ତ ଜାରି ରଖିଛି। ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସହଯୋଗୀ ଖଗେଶ୍ୱର ବେହେରା ମଧ୍ୟ ଜେଲରେ ଅଛନ୍ତି। ହେଲେ ଚତୁର୍ଥ ଅଭିଯୁକ୍ତା ତଥା ହନିଟ୍ରାପ୍‌ର ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ଏଯାଏ କିନ୍ତୁ ଗିରଫ ହୋଇ ନାହାନ୍ତି। ଇଡି ଅର୍ଚ୍ଚନାଙ୍କ ଏକ ଦାମୀ କାର୍‌ ଓ ସତ୍ୟବିହାରସ୍ଥିତ ୩.୬୪ କୋଟିର ଆଲିଶାନ ଘରକୁ ଆଟାଚ୍‌ କରିଥିବାବେଳେ ଅନ୍ୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି ପ୍ରକ୍ରିୟା ଜାରି ରଖିଛି। ସେହିପରି ଅନ୍ୟ ଅଭିଯୁକ୍ତଙ୍କ ସମ୍ପତ୍ତି ମଧ୍ୟ ଠାବ କରିବାକୁ ପ୍ରକ୍ରିୟା ଜାରି ରଖିଛି।